ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ହୋଇଥିବା ଜଣାପଡିଛି । ପ୍ରତିରକ୍ଷା ପାଇଁ ଯେଉଁ ଜିନିଷର ବ୍ୟବାହର କରାଯାଉଥିଲା ରୁଷିଆ ସେନା ସେସବୁକୁ ନଷ୍ଟ କରୁଥିବା ବେଳେ ଏହାର ଜବାବ ଦେଇଥିଲା ୟୁକ୍ରେନ୍ ସେନା । ଏହାକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯୁଦ୍ଧରେ ପ୍ରତିଦିନ ଆମର ୧୦୦ରୁ ଅଧିକ ସେନାଙ୍କର ମୃତ୍ୟୁ ହେଉଛି । ସେପଟେ ମୈରିଉପୋଲରେ ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ମୃତ ଦେହକୁ ଉଦ୍ଧାର କରାଯାଇଛି । ଜଣେ ଅଧିକାରୀ ଏହାକୁ ମୃତ୍ୟୁର ଅନ୍ତହୀନ କାର୍ଯ୍ୟ ବୋଲି କହିଛନ୍ତି ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେସ୍କି ରେଜ୍ନିକୋଭ କହିଛନ୍ତି, ଏହି ଯୁଦ୍ଧ ଆମଠାରୁ ବହୁତ କିଛି ଛଡାଇ ନେଇଛି । ପ୍ରତିଦିନ ପ୍ରାୟ ୧୦୦ ସେନାଙ୍କର ଏହି ଯୁଦ୍ଧରେ ମୃତ୍ୟୁ ହେଉଛି । ସେପଟେ ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ରୁଷିଆ ସେନା ତା’ର କବଜାକୁ ନେଇ ଯାଇଥିଲା ସେଥିମଧ୍ୟରୁ କିଛି ପୁଣିଥରେ ୟୁକ୍ରେନ ସେନା ଫେରାଇ ଆଣିଥିବା ଦାବି କରୁଛନ୍ତି । ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ଚେତାଇ ଦେଇଛି କି ଆଗକୁ ଅର୍ଥାତ୍ ୨୦୨୩ରେ ବିଶ୍ୱ ଘୋର ଖାଦ୍ୟ ସଙ୍କଟ ମଧ୍ୟକୁ ଚାଲିଯିବାର ସମ୍ଭାବନା ବଢିଯାଇଛି ।

Share