Categories: ଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ: ହୀରା ବ୍ୟବସାୟ ପ୍ରଭାବିତ

ଗାନ୍ଧୀନଗର,୨୧।୫: ସୁରାଟକୁ ଭାରତୀୟ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ କୁହାଯାଉଥିବାବେଳେ ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ପାଇଁ ବ୍ୟବସାୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜେମ୍ସ ଆଣ୍ଡ୍‌ ଜୁଏଲରୀ ଏକ୍ସପୋର୍ଟ ପ୍ରୋମୋଶନ୍‌ କାଉନସିଲର ରିଜିଓନାଲ ଚେୟାରମ୍ୟାନ୍‌ ଦିନେଶ ନାଭଡିଆ ଏହା କହିଛନ୍ତି। ହରା କାରଖାନାରେ କଞ୍ଚାମାଲ୍‌ର ଅଭାବ ଦେଖିବାକୁ ମିଳିଛି। ଗତମାସରେ ୧.୭୫ ଲକ୍ଷ କ୍ୟାରେଟର ହୀରା ରୁଷିଆ ଜରିଆରେ ସୁରାଟ ଆସିଥିଲା। ୩୦ରୁ ୩୫ ପ୍ରତିଶତ ରଫ୍‌ ଡାଇମଣ୍ଡ କଟିଂ ଏବଂ ପଲିଶିଂ ପାଇଁ ଆଲରୋସାରୁ ସୁରାଟ ଓ ମୁମ୍ବାଇ ଆସିଛି। କଞ୍ଚାମାଲର ଅଭାବ କାରଣରୁ ସୁରାଟର ବଡ଼ ହୀରା କାରଖାନାଗଡ଼ିକରେ ସପ୍ତାହକୁ ୩ରୁ ୪ ଦିନ କାମ କରାଯାଉଥିବାବେଳେ ଛୋଟ ସଂସ୍ଥା ସବୁ ବନ୍ଦ ହୋଇଯାଇଥିବା ଦିନେଶ କହିଛନ୍ତି। ଭାରତକୁ ଆମଦାନୀ ହେଉଥିବା ମୋଟ ହୀରାର ୪୦ ପ୍ରତିଶତ ଖାଲି ରୁଷିଆରୁ ଆସିଥାଏ। କିନ୍ତୁ ଯୁଦ୍ଧ କାରଣରୁ ରୁଷିଆରୁ ହୀରା ଆମଦାନୀ ଏକ ପ୍ରକାର ବନ୍ଦ ହୋଇଯାଇଛି। ଯୁଦ୍ଧ କାରଣରୁ ଦେଶରେ ୧୮ ବିଲିୟନ୍‌ ଡଲାରର କ୍ଷତି ହୋଇଥିବା କୁହାଯାଉଛି। ଆମେରିକା ରୁଷିଆ ଉପରେ କଟକଣା ଲଗାଇବା ପୂର୍ବରୁ ରୁଷିଆ ଭାରତକୁ ହୀରା ରପ୍ତାନୀ କରିଥିଲା। ସୁରାଟରେ ହୀରା କାରଖାନା ବନ୍ଦ ହେବା ଯୋଗୁ କାରଖାନା କର୍ମଚାରୀ ଆର୍ଥାଭାବ ଦେଇ ଗତି କରୁଛନ୍ତି। ନିକଟରେ ଏହି କାରିଗରମାନେ ସରକାରୀ ସହାୟତା ଯୋଗଇଦେବା ଉଦ୍ଦେଶ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିକଟରେ ଦାବି କରିଥିଲେ ।ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଫେବୃୟାରୀ ୨୪ରୁ ଆରମ୍ଭ ହୋଇଥିବାବେଳେ ଏପ୍ରିଲମାସ ମଧ୍ୟଭାଗ ବେଳକୁ ଆମେରିକା ରୁଷିଆ ଉପରେ କଟକଣା ଲଗାଇଥିଲା।

Share