ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍‌ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍‌ ସୀମାରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଖୁବ୍‌ ଶୀଘ୍ର ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ସହିତ ଆଲୋଚନା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ସମସ୍ୟାର ସମାଧାନର ବାଟ ଫିଟିବାର ଆଶା ରହିଥିବା ସେ କହିଛନ୍ତି। ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ରୁଷିଆ ୟୁକ୍ରେନ୍‌ ସୀମାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିଲା। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ୨୦୧୪ପରେ ପୂର୍ବ ୟୁକ୍ରେନ୍‌ର ସୀମାବର୍ତ୍ତୀ ଅଞ୍ଚଳରେ ଘଟିଥିବା ସଂଘର୍ଷରେ ଇତିମଧ୍ୟରେ ୧୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ୟୁରୋପୀୟ ସଂଘ ସମ୍ମିଳନୀରେ ଜେଲେନ୍ସିକ୍‌ କହିଥିଲେ ଯେ, ଦୁଇଦୋ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନର ସମସ୍ତ ପ୍ରୟାସ ପ୍ରାୟ ଶେଷ ହେବାକୁ ଯାଉଛି। ହୁଏତ ଆଗାମୀ ଦିନରେ ଯୁଦ୍ଧ ହୋଇପାରେ। ଦୀର୍ଘ ପ୍ରୟାସ ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଗୋଟିଏ ବି ବୈଠକ ଆୟୋଜନ କରାଯାଇ ପାରି ନ ଥିବାରୁ ଜେଲେନ୍ସିକ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ସମସ୍ୟାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଜେଲେନ୍ସିକ୍‌ ଅଭିଯୋଗ କରିଛନ୍ତି।

Share