ୟୁକ୍ରେନ୍ ସହରର ମେୟରଙ୍କୁ ଅପହରଣ କଲା ରୁଷିଆ ସେନା, ଜେଲେନ୍‌ସ୍କି କହିଲେ ଲୋକତନ୍ତ୍ରର ହତ୍ୟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୧୨ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ହେଲେ ଉଭୟ ଦେଶ କେହି ନଇଁବାକୁ ପ୍ରସ୍ତୁତ ନୁହେଁ । ରୁଷିଆ ଶେଷ ପର୍ଯ୍ୟନ୍ତ ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି । ବିଭିନ୍ନ ଦେଶର ଭିନ୍ନ ଭିନ୍ନ ପ୍ରତିବନ୍ଧକ ପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଇତିମଧ୍ୟରେ ଗଣମାଧ୍ୟମର ସୂଚନା ଅନୁଯାୟୀ, ଆମେରିକା ପ୍ରଶାସନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମି ପୁଟିନଙ୍କ ପ୍ରବକ୍ତାଙ୍କ ଉପରେ ପ୍ରିବନ୍ଧକ ଲଗାଇଛନ୍ତି । ଏପଟେ ଇଣ୍ଟରନ୍ୟାଶନାଲ କୋର୍ଟରେ ବି ରୁଷିଆକୁ ଘେରିବାକୁ ଯୋଜନା କରାଯାଇଛି ।
ଏପଟେ ୟୁକ୍ରେନର ମେଲିଟୋପୋଲ ସହରରର ମେୟର ଇୱାନ ଫେଡୋରୋବଙ୍କୁ କୁଆଡେ ରୁଷିଆ ସେନା ଅପହରଣ କରି ନେଇଛନ୍ତି । କୁହାଯାଉଛି ମେୟର ରୁଷିଆ ସେନାଙ୍କୁ ସହଯୋଗ ନ କରିବାରୁ ସେମାନେ ତାଙ୍କୁ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ମେୟରଙ୍କ ଅପହରଣ ଲୋକତନ୍ତ୍ର ବିରୋଧରେ ଏକ ଯୁଦ୍ଧ ଅପରାଧ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି କି ସମସ୍ତ ଲୋକତାନ୍ତ୍ରିକ ଦେଶରେ ୧୦୦ ପ୍ରତିଶତ ଜନତା ଏ ସମ୍ପର୍କରେ ଜାଣିବେ ଓ ଏହାକୁ ବେିରୋଧ କରିବେ ।

Share