କ୍ୱିଭ୍‌ ଉପାନ୍ତରୁ ରୁଷିଆ ବେଦଖଲ

କ୍ୱିଭ୍‌, ୨୩ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୨୭ ଦିନରେ ପହଞ୍ଚିଥିବା ବେଳେ ଲଢ଼େଇ ଥମିବାର କୌଣସି ଉପାୟ ବାହାରିପାରିନାହିଁ। ଉଭୟ ପକ୍ଷଙ୍କ ପ୍ରତିନିଧି ପୂର୍ବରୁ ସ୍ଥଗିତ ଥିବା ଆଲୋଚନା ସୋମବାର ଆଗେଇ ନେଇଥିଲେ ହେଁ
ଯୁଦ୍ଧବିରତି ଦିଗରେ ଏହା ସଫଳ ହୋଇପାରିନାହିଁ। ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ସମେତ ପୂର୍ବ ଭାଗରେ ଥିବା ବନ୍ଦର ସହର ମାରିଉପୋଲ, ଓଡେଶା ଆଦି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଦଖଲ କରିବାକୁ ରୁଷିଆ ନିଜର ବଳ ପ୍ରୟୋଗ କରିଚାଲିଛି। ରୁଷୀୟ ସୈନ୍ୟଙ୍କୁ ରୋକିବା ପାଇଁ ୟୁକ୍ରେନ୍‌ ସୁରକ୍ଷାବଳ ରାସ୍ତାଘାଟରେ ସେମାନଙ୍କ ସହ ଲଢ଼େଇ ଜାରି ରଖିଛନ୍ତି। ଏହା ଭିତରେ କ୍ୱିଭ୍‌ ପାଇଁ ଗୁରୁତ୍ୱ ରଖୁଥିବା ଏକ ଉପାନ୍ତ ଅଞ୍ଚଳ ମକାରିଭ୍‌କୁ ରୁଷୀୟ ସୈନ୍ୟ କବ୍‌ଜା କରିଥିବାବେଳେ ତାହାକୁ ମୁକ୍ତ କରାଯାଇଥିବା ୟୁକ୍ରେନ୍‌ ମଙ୍ଗଳବାର ଦାବି କରିଛି। ସେପଟେ ମାରିଉପୋଲରେ ଅସ୍ତ୍ର ଛାଡ଼ିବାକୁ ୟୁକ୍ରେନ୍‌ ମନା କରିବା ପରେ ରୁଷିଆ ସେଠାରେ ଧ୍ୱଂସଲୀଳା ଚଳାଇଛିି।
ମସ୍କୋ ସୈନ୍ୟଙ୍କୁ ହଟାଯିବା ପରେ ତାହାକୁ କ୍ୱିଭ୍‌ ସୁରକ୍ଷାବଳ ନିଜ ନିୟନ୍ତ୍ରଣରେ ରଖିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମକାରିଭ୍‌ ଦେଇ ଯାଇଥିବା ରାଜପଥରେ ୟୁକ୍ରେନ୍‌ ସୈନ୍ୟ ଜଗି ରହି କ୍ୱିଭ୍‌କୁ ଉତ୍ତର-ପଶ୍ଚିମ ପଟୁ ଘେରିବା ପାଇଁ ରୁଷିଆକୁ ରୋକିପାରିବେ। ତେବେ କ୍ୱିଭ୍‌ର ଉତ୍ତର-ପଶ୍ଚିମରେ ଥିବା ଉପାନ୍ତ ଅଞ୍ଚଳ ବୁଚା, ହୋଷ୍ଟୋମେଲ, ଇର୍‌ପିନ୍‌ର କେତେକ ଅଂଶକୁ ରୁଷିଆ ମାଡ଼ି ବସିଥିବା ଜଣାପଡ଼ିଛି। ସେଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଫୋର୍ସ ଏୟାର ପାଓ୍ବାର ଏବଂ ଆର୍ଟିଲାରୀ ବ୍ୟବହାର କରି ୟୁକ୍ରେନ୍‌ ସହରଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଗତ ୨ ଦିନରେ ରୁଷିଆ ୟୁକ୍ରେନ୍‌ରେ ଏୟାର ଷ୍ଟ୍ରାଇକ୍‌ ବଢ଼ାଇଛି। କେବଳ ୨୪ ଘଣ୍ଟାରେ ପ୍ରାୟ ୩୦୦ ଥର ଏୟାର ଷ୍ଟ୍ରାଇକ୍‌ କରିଛି। ଆକ୍ରମଣ ଦିନଠାରୁ ମସ୍କୋ ୧,୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଛାଡ଼ି ସାରିଲାଣି। ଆଗକୁ ଆହୁରି ଖରାପ ସ୍ଥିତି ଉପୁଜିବ ବୋଲି ଆମେରିକା ରାଷ୍ଟ୍ରପତି ଜେ ବାେଇଡନ୍‌ କହିଛନ୍ତି।

Share