Russia Ukraine War: ଆସିଲା ବଡ଼ ଅଭିଯୋଗ,ରୁଷିଆ ସୈନ୍ୟ ବ୍ୟବହାର କରୁଛନ୍ତି ସ୍ପେସ ଏକ୍ସର ଷ୍ଟାରଲିଙ୍କ, ଏଲନ ମସ୍କ ୟୁକ୍ରେନର ଦାବିକୁ କଲେ ଖଣ୍ଡନ…

କିଭ,୧୨।୨ : ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି। ୟୁକ୍ରେନ ଅଭିଯୋଗ କରିଛି ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାଟେଲାଇଟ ଇଣ୍ଟରନେଟ ପାଇଁ ରୁଷିଆ ସୈନ୍ୟମାନେ ଏଲନ ମସ୍କଙ୍କର ସ୍ପେସ ଏକ୍ସ କମ୍ପାନୀର ଷ୍ଟାରଲିଙ୍କ ବ୍ୟବହାର କରୁଛନ୍ତି।

ୟୁକ୍ରେନର ମୁଖ୍ୟ ସାମରିକ ଗୁପ୍ତଚର ସଂସ୍ଥା କହିଛି ଫେବୃଆରୀ ୨୦୨୨ରୁ ରୁଷିଆ ସହିତ ଯୁଦ୍ଧ ପରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଷ୍ଟାରଲିଙ୍କ ଟର୍ମିନାଲ ପଠାଯାଇଥିଲା। ରୁଷିଆ ସୈନ୍ୟମାନେ ଇଣ୍ଟରନେଟ ସେବା ପାଇଁ ଷ୍ଟାରଲିଙ୍କ ବ୍ୟବହାର କରୁଛନ୍ତି।

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ମୁଖପାତ୍ର ଆଣ୍ଡ୍ରେ ୟୁସୋଭଙ୍କ କହିଛନ୍ତି ରୁଷିଆର ଅଧିକୃତ ଅଞ୍ଚଳରେ ଏହି ଉପକରଣଗୁଡିକର ବ୍ୟବହାର ମାମଲା ପଞ୍ଜିକୃତ ହୋଇଛି। ଏଜେନ୍ସି ଏକ ବିବୃତ୍ତିରେ କହିଛି ଏହି ଟର୍ମିନାଲଗୁଡ଼ିକୁ ରୁଷିଆର ୮୩ତମ ଏୟାର ଆସାଲେଟ ବ୍ରିଗେଡ ବ୍ୟବହାର କରୁଛି।

ଏଲୋନ ମସ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଏଥି ସହିତ ଷ୍ଟାରଲିଙ୍କ କହିଛନ୍ତି ଏହା ରୁଷିଆ ସରକାର କିମ୍ବା ସେନା ସହିତ କୌଣସି ପ୍ରକାର ବ୍ୟବସାୟ କରେ ନାହିଁ। ଏକ୍ସରେ ଏକ ପୋଷ୍ଟରେ ମସ୍କ କହିଛନ୍ତି ଷ୍ଟାରଲିଙ୍କ ରୁଷିଆକୁ ବିକ୍ରି ହୋଇନାହିଁ। ଅନେକ ରିପୋର୍ଟ ଦାବି କରିଛି ଯେ ସ୍ପେସ ଏକ୍ସ ରୁଷିଆକୁ ଷ୍ଟାରଲିଙ୍କ ଟର୍ମିନାଲ ବିକ୍ରି କରୁଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ।

ଦୁଇ ୟୁକ୍ରେନ ସରକାରୀ ସୂତ୍ର ସପ୍ତାହେ ପୂର୍ବରୁ ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଥିଲେ ରୁଷିଆ ଦ୍ୱାରା ଅଧିକୃତ ୟୁକ୍ରେନ ଅଞ୍ଚଳରେ ରୁଷିଆ ସୈନ୍ୟମାନେ ଷ୍ଟାରଲିଙ୍କ ବ୍ୟବହାର କରୁଥିବା ଚିହ୍ନଟ ହୋଇଛି। ସୈନ୍ୟମାନେ ବହୁ ପରିମାଣରେ ତଥ୍ୟ ହାସଲ କରିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି।

Share