ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମୈରିୟୁପୋଲରେ ଦିଆଯାଉଛି ସାମୁହିକ କବର, ଶୋକ କରିବାକୁ କେହି ନାହିଁ

କ୍ୱିଭ/ ମୈରିୟୁପୋଲ,୧୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଯାଇଛି । ୧୫ ଦିନ ପରେ ୟୁକ୍ରେନର ଅଧିକାରୀମାନେ ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମୁହିକ କବର ଦେବା ଆରମ୍ଭ କରିଛନ୍ତି । ଦକ୍ଷିଣ ୟୁକ୍ରେନର ମୈରିୟୁପୋଲରେ ଅଧିକାଂଶ ମୃତଦେହକୁ ସାମୁହିକ କବର ଦିଆଯାଇଥିବା ସୂଚନା ମିଳିଛି । ଏଥିପାଇଁ ସହରର ଏକ ପୁରୁଣା ସମାଧିସ୍ଥଳରେ ୨୫ ମିଟର ଲମ୍ବାର ଏକ ଖାଲ ଖୋଳାଯାଇଛି । ସବୁଠାରୁ ଦୁଃଖର ବିଷୟ ହେଉଛି ଏହି ସବୁ ମୃତଦେହ ପାଇଁ କେହି ଶୋକ କରିବାକୁ ନାହାନ୍ତି । ବ୍ରିଟେନ କହିଛି ରୁଷିଆ ଆଗକୁ ଆକ୍ରମଣ କରି ନାହିଁ ହେଲେ ଗୁଳିମାଡରେ ୟୁକ୍ରେନ ସହର ନଷ୍ଟ ହେବାରେ ଲାଗିଛି ।
ଅନ୍ୟପଟେ ଲବିବରେ ଚେର୍ନୋବିଲ ପରମାଣୁ କେନ୍ଦ୍ରର ପାୱାର ଗ୍ରୀଡସହ ସମ୍ପର୍କ ଛିନ୍ନ ହୋଇଯାଇଛି । ଫଳରେ ଜେନେରେଟର ମାଧ୍ୟମରେ ସେଠାକୁ ବିଜୁଳି ଯୋଗାଇ ଦିଆଯାଉଛି । ଏଠାରେ ଥିବା ପରମାଣୁ ସାମଗ୍ରୀକୁ ଥଣ୍ଡା ରଖିବା ଜରୁରୀ ନଚେତ୍ ବିପଦ ରହିଛି । ଯଦି ଚେର୍ନୋବିଲରେ କିଛି ଅଘଟଣ ଘଟେ ତେବେ ପରିସ୍ଥିତି ଆହୁରି ଖରାପ ହେବ ବୋଲି କୁହାଯାଇଛି ।
ମୈରିୟୁପୋଲରେ ଲୋକେ ପାଣି, ଖାଦ୍ୟ ଆଦି ପାଇଁ ସଂଘର୍ଷ କରୁଥିବା ବେଳେ ନଦୀର ପାଣି ଓ ବରଫକୁ ତରଳାଇ ବ୍ୟବହାର କରୁଥିବା କୁହାଯାଉଛି । ସହରରେ ଲଗାତାର ଆକ୍ରମଣ ଜାରି ରହିଥିବା ବେଳେ ଅଧିକାରୀମାନେ ମୃତ ଶରୀର ଗୁଡିକର ଅଲଗା ଅଲଗା କବର ଦେବା କଥା ଚିନ୍ତା କରୁଥିଲେ । ହେଲେ ଶବଗୃହରେ ଅତ୍ୟଧିକ ମୃତଦେହ ଜମା ହେବା ଓ ଘରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ବାହାରକୁ ନ ବାହାର କରାଯିବା ଫଳରେ ଶେଷରେ ସାମୁହିକ କବରର ବ୍ୟବସ୍ଥା କରାଯାଇଛି ।

Share