ୱାଶିଂଟନ,୪ ।୩: ୟୁକ୍ରେନର ଏନରହୋଦର ସହରରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜାପୋରଝିଆରେ ରୁଷିଆ ପକ୍ଷରୁ ବିସ୍ଫୋରଣ କରାଯିବା ପରେ ଶୁକ୍ରବାର ଏଥିରେ ଅଚାନକ ନିଆଁ ଲାଗିଯାଇଛି । ଯଦି ଏଥିରେ ବିସ୍ଫୋରଣ ହୁଏ ତେବେ ଏହା ଗୁରୁତର କ୍ଷତି କରିବାର ଚେତାବନୀ ଦେଇ ସାରିଲାଣି ଆଇଏଇଏ । ଏପଟେ ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତିି । ଏହାକୁ ନେଇ ଜେଲେନସ୍କି କହିଛନ୍ତି ମସ୍କୋ ଜାପୋରଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବୋମା ବିସ୍ଫୋରଣ କରି ଚେର୍ନୋବିଲ ଘଟଣାକୁ ଦୋହରାଇବାକୁ ଚାହୁଁଛି ।
ବହୁ କଷ୍ଟପରେ ଏବେ ଜାପୋରଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା ୟୁକ୍ରେନର ଅଧିକାରୀମାନେ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଜାପୋରଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଏବେ ସୁରକ୍ଷିତ । ପ୍ଲାଣ୍ଟର ନିର୍ଦ୍ଦେଶକ ଆଲେକଜାଣ୍ଡର ଷ୍ଟାରୁଖ କହିଛନ୍ତି, ଏବେ ପରମାଣୁ ସୁରକ୍ଷାର ଗ୍ୟାରେଣ୍ଟି ରହିଛି । ସୂଚନାଯୋଗ୍ୟ, ରୁଷିଆ ମନ୍ତ୍ରଣାଳୟ ସୋମବାର ଏନରହୋଦର ସହର ଦଖଲ କରିଥିବା ଦାବି କରିଥିଲା । ଏହାପରେ ଶୁକ୍ରବାର ରୁଷିଆ ପକ୍ଷରୁ ହୋଇଥିବା ବୋମା ବିସ୍ଫୋରଣରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା ।