ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜି-୭ ଡକାଇଲା ଜରୁରୀ ବୈଠକ

କିଭ୍‌,୧୦।୧୦: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ସୋମବାର ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଅନେକ ସହର ଉପରେ ରୁଷିଆ ସୈନ୍ୟ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ୮ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଇତିମଧ୍ୟରେ ମଙ୍ଗଳବାର ଜର୍ମାନ ଚାନ୍ସଲର ଓଲୋଫ ସ୍କୋଲଜ ଜି-୭ର ଏକ ଜରୁରୀ ବୈଠକ ଡକାଇଛନ୍ତି। ସ୍କୋଲଜ ଜି-୭ର ଅଧ୍ୟକ୍ଷତା କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜର୍ମାନ ଚାନ୍ସଲରଙ୍କ ସହ ଫୋନରେ କଥା ହୋଇ ଏହି ବୈଠକକୁ ସମ୍ବୋଧିତ କରିବେ ବୋଲି ସହମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଜେଲେନ୍‌ସ୍କି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଫୋନରେ କଥା ହୋଇ ବାୟୁ ପ୍ରତିରକ୍ଷା ଉପକରଣ ମାଗିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁନ ୨୬ରେ ରୁଷିଆ କିଭ୍‌ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ ପ୍ରତିକ୍ରିୟା ରଖଛନ୍ତି। ସେ କହିଛନ୍ତି, ୟୁକ୍ରେନ ଉପରେ ହୋଇଥିବା ରୁଷିଆର ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟକଳାପର ଜବାବ ଦିଆଯାଇଛି। ଗତ ସପ୍ତାହରେ ୟୁକ୍ରେନର ସ୍ପେଶାଲ ଫୋର୍ସ ଏକ ପୋଲକୁ ଉଡ଼ାଇ ଦେଇଥିଲେ। ଏହାପରେ ରୁଷିଆ ୟୁକ୍ରେନକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲା। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଆମେ ଆତଙ୍କବାଦୀଙ୍କ ସହ ଲଢ଼ୁଛୁ। ୟୁକ୍ରେନ ସହରରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।

Share