ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି ଦେଶ ବୋଲି ବର୍ଣ୍ଣନା କରିଥିଲେ। ଏହାର କୌଣସି ଇତିହାସ କିମ୍ବା ପରିଚୟ ନାହିଁ। ଆଧୁନିକ ୟୁକ୍ରେନକୁ ରୁଷିଆ ନିର୍ମାଣ କରିଥିବା ମଧ୍ୟ ସେ କହିଥିଲେ। ଆସନ୍ତୁ ଜାଣିବା ୟୁକ୍ରେନର ଇତିହାସ…

ୟୁରୋପର ପୂର୍ବରେ ରହିଛି ୟୁକ୍ରେନ। ଏହାର ଉତ୍ତର-ପୂବ;, ପୂର୍ବ ଏବଂ ଦକ୍ଷିଣ-ପୂର୍ବରେ ରୁଷିଆ ଏବଂ ଦକ୍ଷିଣରେ କଳା ସାଗର ରହିଛି। ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଉତ୍ତରରେ ୟୁକ୍ରେନ୍‌ ମଲଡୋଭା, ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ , ପୋଲାଣ୍ଡ ଏବଂ ବେଲାରୁଷ ସହ ସୀମା ବାଣ୍ଟିଛି। ରୁଷିଆ ପରେ ଏହା ୟୁରୋପର ସବୁଠାରୁ ବଡ଼ ଦେଶ। ଏହା ୬୦୩,୫୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ।

ଜୁଲାଇ ୨୦୨୧ରେ ୟୁକ୍ରେନର ଜନସଂଖ୍ୟା ୪୩.୭ ନିୟୁତ ଥିଲା। ସେଥିରୁ ୭୭.୮% ୟୁକ୍ରେନ ଜାତିର ଏବଂ ୧୭.୩% ରୁଷୀୟ ଥିଲେ। ରୁଷ୍‌ ଭାଷାରେ କଥା ହେଉଥିବା ଅଧିକାଂଶ ଲୋକ ପୂର୍ବରେ ରହିଥାନ୍ତି। ସେମାନେ ରୁଷିଆ ସୀମା ନିକଟରେ ବସବାସ କରନ୍ତି। ଏଠାରେ ଆଠବର୍ଷ ଧରି ସଶସ୍ତ୍ର ବିଦ୍ରୋହକୁ ବଜାୟ ରଖିବା ପରେ ଚଳିତ ସପ୍ତାହରେ ରୁଷିଆ ଦୁଇ ରାଜ୍ୟର ସ୍ବାଧୀନତାକୁ ସ୍ବୀକୃତି ଦେଇଥିଲା।

ମୁଣ୍ଡ ପିଛା ମୋଟ ଜାତୀୟ ଆୟ ଦୃଷ୍ଟିରୁ ୟୁକ୍ରେନ ହେଉଛି ୟୁରୋପର ସବୁଠାରୁ ଗରିବ ଦେଶ। ହେଲେ ଦେଶରେ ଲୁହାପଥର, କୋଇଲା ଭଣ୍ଡାର ରହିଛି। ଏହାଛଡ଼ା ଦେଶ ମକା, ସୁର୍ଯ୍ୟମୁଖୀ ତେଲ, ଲୁହା, ଲୌହ ଉତ୍ପାଦ ଏବଂ ଗହମ ଆଦି ରପ୍ତାନୀ କରେ।
୧୯୨୨ରୁ ୧୯୯୧ ଯାଏ ୟୁକ୍ରେନ୍‌ ରୁଷିଆର ଅଂଶ ଥିଲା। ହେଲେ ୧୯୯୧ରେ ଏହା ନିଜର ସ୍ବାଧିନତାକୁ ନେଇ ଘୋଷଣା କରିଥିଲା। ରୁଷିଆରେ ପ୍ରାୟ ୮.୫ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି। ହେଲେ ୟୁକ୍ରେନର ସୈନ୍ୟ ସଂଖ୍ୟା ୨ ଲକ୍ଷ। ରୁଷିଆର ବାୟୁସେନା ଗ୍ଲୋବାଲ ଫାୟାର ଡଟ୍‌ କମ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୟୁକ୍ରେନ ୩୧ରେ ଅଛି। ସେହିଭଳି ରୁଷିଆର ୭୭୨ ଯୁଦ୍ଧ ବିମାନ ଥିବାବେଳେ ୟୁକ୍ରେନରେ କେବଳ ୬୯ଟି ରହିଛି। ବାକି ସମସ୍ତ କ୍ଷେତ୍ରରେ ମଧ୍ୟ ରୁଷିଆ ବହୁତ ଆଗରେ ରହିଛି।

Share