ରୁଷିଆକୁ ଚାରିଆଡୁ ଘେରିବାକୁ ନାଟୋର ଉଦ୍ୟମ

ବ୍ରୁସେଲଶ୍‌,୨୬।୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସମକକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ ମୁତୟନ ପାଇଁ ସହମତ ପ୍ରକାଶ କରିଛନ୍ତି। ଏନେଇ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି। ୟୁକ୍ରେନ ସୀମାକୁ ଲାଗି ରହିଥିବା ଦେଶକୁ ତ୍ୱରିତ ସୁରକ୍ଷା ବଳ ପଠାଯିବ। ତେବେ ସେଠାକୁ କେତେ ସୈନ୍ୟ ପଠାଯିବ ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଥିରେ ବାୟୁ, ସ୍ଥଳ ଓ ଜଳ ସେନା ସାମିଲ ହେବେ ବୋଲି ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି। ଅନ୍ୟପଟେ କୁହାଯାଉଛି ଯେ, ରୁଷିଆ ରୋମାନିଆର ଏକ ଜାହାଜ ଉପରେ ଆକ୍ରମଣ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। କାରଣ ରୋମାନିଆ ହେଉଛି ନାଟୋର ଜଣେ ସଦସ୍ୟ। ଏତଦ୍‌ ବ୍ୟତୀତ ଜେମ୍ସ କହିଛନ୍ତି, ରୁଷିଆର ଉଦ୍ଦେଶ୍ୟ ୟୁକ୍ରେନ ଯାଏ ସୀମିତ ନୁହେଁ। ଅନ୍ୟ ସହଯୋଗୀ ଦେଶକୁ ମଧ୍ୟ ଜବରଦଖଲ କରିବାକୁ ମନବୋଳାଉଛନ୍ତି ପୁଟିନ୍‌। ଏଭଳି ସ୍ଥିତିରେ ସହଯୋଗୀ ଦେଶଗୁଡ଼ିକର ସ୍ଥଳ, ଜଳ ଓ ବାୟୁରେ ସୈନ୍ୟ ମୁତୟନ କରିବା ନେଇ ନାଟୋ ନିଷ୍ପତ୍ତି ନେଇଛି। ରୁଷିଆ ୟୁକ୍ରେନର ନିର୍ଦ୍ଦୋଷଙ୍କ ଉପରେ ଆକ୍ରମଣ କରିଛି। ଏହା ସମଗ୍ର ୟୁରୋପୀୟ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆକ୍ରମଣ। ତେଣୁ ଏହାକୁ ଅତି ଗୁରୁତର ଭାବେ ନିଆଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ୟୁକ୍ରେନରେ ସରକାର ବଦଳାଇବାକୁ ଚାହୁଁଛି ରୁଷିଆ। ତେବେ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ସୈନ୍ୟଙ୍କୁ ସମ୍ମାନ ଜଣାଇବା ସହ ପ୍ରଶଂସା କରିଛନ୍ତି। ୟୁକ୍ରେନ ସୈନ୍ୟମାନେ ଦୃଢ଼ତା ଓ ସାହସିକାତାର ସହ ଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ଲଢ଼େଇ କରୁଛନ୍ତି।

Share