ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ

କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ ପ୍ରବେଶ କରିଛି । ୟୁକ୍ରେନ ଦାବି କରିଛି ଏହି ସମୟ ମଧ୍ୟରେ ସେ ରୁଷିଆ ସେନାର ପ୍ରାୟ ୫୦ ଗୋଳା-ବାରୁଦ ଡିପୋକୁ ନଷ୍ଟ କରି ଦେଇଛି । ଆମେରିକା ନିକଟରୁ ମିଳିଥିବା ହିମାରସ ରକେଟ ସିଷ୍ଟମ ଜରିଆରେ ଏହି ଡିପୋକୁ ନଷ୍ଟ କରି ଦିଆଯାଇଛି । ଆମେରିକା ଜୁନ ମାସରେ ୟୁକ୍ରେନକୁ ଏହି ଅସ୍ତ୍ର ଦେଇଥିଲା । ଜାତୀୟ ଗଣମାଧ୍ୟମରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ କହିଛନ୍ତି, ଆମେରିକାରୁ ଆସିଥିବା ଉଚ୍ଚ ଗତିସମ୍ପନ୍ନ ଆର୍ଟିଲାରି ରକେଟ ସିଷ୍ଟମ ଏଚଆଇଏମଏଆରଏସ(ହିମାରସ) ଭଲ ପ୍ରଦର୍ଶନ କରିଛି ଓ ରୁଷିଆକୁ ରକ୍ଷା କରିବାର ସୁଯୋଗ ଦେଇନାହିଁ ।
ରୁଷିଆ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଟିପ୍ପଣି ଦେଇ ନାହିଁ । ରେଜନିକୋଭ କହିଛନ୍ତି, ୟୁକେନ ଆର୍ଟିଲରି କିଛି ପୋଲ ଉପରେ ସଠିକ ଆକ୍ରମଣ କରିଛି । ବନ୍ଧକ ଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି, ଗତ ସପ୍ତାହରେ ହିମାରସ ଖେରସାନ ଅଞ୍ଚଳରେ ନଦୀ ନିକଟରେ କିଛି ଆକ୍ରମଣ କରିଥିଲା । ଏହାରି ଭିତରେ ୟୁକ୍ରେନ ଏକ ଭିଡିଓ ବି ଜାରି କରିଛି । ଯେଉଁଥିରେ ରୁଷିଆ ଆଣ୍ଟି ଏୟାର ଡିଫେନ୍ସ ଏସ-୩୦୦ର ବ୍ୟାଟେରୀ ନଷ୍ଟ କରାଯାଇଥିବା ଦାବି କରାଯାଇଛି । ଭିଡିଓରେ ବି କିଛି ଜଳିଯାଇଥିବା ପୋଡା ଅଂଶ ଦେଖାଯାଉଛି । ୟୁକ୍ରେନ ସେନାର ଫେସବୁକ ପୋଷ୍ଟରେ ଦାବି କରାଯାଇଛି କି ଏହା ଆକାଶ ପଥରେ ଆକ୍ରମଣ କରିବା ମିଶାଇଲ ପ୍ରଣାଳୀର ବ୍ୟାଟେରି ଥିଲା ।

Share