ପୁଟିନଙ୍କ ଆକ୍ରମଣର କଡା ଜବାବ ଦେଲେ ଜେଲନସ୍କିଙ୍କ ସେନା

କ୍ୱିଭ,୨୩।୬: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ମିଶାଇଲ ମାଡ କରି ଚାଲିଛି। ହେଲେ ୟୁକ୍ରେନ ମଜଭୁତ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢି ଚାଲିଛି। ଶୁକ୍ରବାର ୟୁକ୍ରେନ ଦାବି କରିଛି ଯେ ଯୁଦ୍ଧରେ ସେ ରୁଷିଆର ୧୩ କ୍ରୁଜ ମିଶାଇଲକୁ ନଷ୍ଟ କରି ଦେଇଛି।

ୟୁକ୍ରେନର ବାୟୁସେନା ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛି। ୟୁକ୍ରେନ ବାୟୁସେନା କହିଛି ଯେ ୨୩ ଜୁନରେ ଦଖଲକାରୀଙ୍କ ୧୩ଟି କ୍ରୁଜ ମିଶାଇଲ ନଷ୍ଟ ହୋଇଯାଇଛି। ଏଥର ଆକ୍ରମଣର ଲକ୍ଷ୍ୟ ଥିଲା ଖେଲମନିଟସ୍କି ଅଞ୍ଚଳର ଏକ ସାମରିକ ବିମାନ କ୍ଷେତ୍ର। ସୂଚନାଯୋଗ୍ୟ, ରୁଷିଆ ନିକଟ ଅତୀତରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ଏପଟେ ପଶ୍ଚିମ ଦେଶରୁ ସାମରିକ ସହାୟତା ପାଇବା ପରେ ୟୁକ୍ରେନ ମଧ୍ୟ ଆଗରେ ରହିଛି।

ଖେଲମନିଟସ୍କିଙ୍କ ମେୟର ଆଲେକ୍ସଜାଣ୍ଡାର୍‌ ସିମଚିସିନ ପ୍ରାୟ ୨୭୫,୦୦୦ ଜନସଂଖ୍ୟଶ ବିଶିଷ୍ଟ ସହରରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି। ଏହି ସମୟରେ ସେ ୟୁକ୍ରେନ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଶଂସା କରିଥିଲେ। ଏହାପୂର୍ବରୁ ଦକ୍ଷିଣ ୟୁକ୍ରେନର ଖେରସନ ସହର ଉପରେ ରୁଷିଆର ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାସହ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ।

Share