ବ୍ୟାକ୍‌ଫୁଟରେ ରୁଷିଆ: ୨୪ଘଣ୍ଟାରେ ୨୦ଗାଁକୁ ଫେରାଇ ଆଣିଲା ୟୁକ୍ରେନ

କିଭ୍‌,୧୨।୯: ଗତ ସାତ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଗତ ସପ୍ତାହରେ ଖାର୍କିଭ ଅଞ୍ଚଳରେ ହୋଇଥିବା ପ୍ରତି ଆକ୍ରମଣରେ ୟୁକ୍ରେନ ସୈନ୍ୟ ରୁଷିଆ ସୈନ୍ୟଙ୍କୁ କଡ଼ା ଜବାବ ଦେଇଛନ୍ତି। ବର୍ତ୍ତମାନ ଯୁଦ୍ଧରେ ରୁଷିଆକୁ ୟୁକ୍ରେନ ବ୍ୟାକଫୁଟ୍‌ରେ ପହଞ୍ଚାଇଛି। ଏଥିସହ ଖାର୍କିଭରେ ରୁଷିଆ ସୈନ୍ୟଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଛି ୟୁକ୍ରେନ। ସେଠାରେ ରୁଷିଆ ସୈନ୍ୟଙ୍କ ସଂଖ୍ୟା ଆଠରୁ ଏକକୁ ହ୍ରାସ ପାଇଛି ବୋଲି ୟୁକ୍ରେନ ଦାବି କରିଛି। ସୋମବାର ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଏହି ଦାବିକୁ ନିଶ୍ଚିତ କରିଛନ୍ତି। ଅନ୍ୟପଟେ ରୁଷିଆ ଅଧିକାରୀ ଭିଟାଲୀ ଗାନଚେଭ ରୁଷିଆ ଟିଭିକୁ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ସୈନ୍ୟମାନେ ଉତ୍ତରରେ ଥିବା ଗାଁଗୁଡ଼ିକୁ ନିଜ ଅକ୍ତିଆରରେ ନେବା ସହ ରୁଷିଆ ସୀମାକୁ ଭଙ୍ଗ କରିଛନ୍ତି। ଅନ୍ୟପଟେ ୬ମାସର ଯୁଦ୍ଧରେ ସମ୍ଭାବ୍ୟ ସଫଳତାରେ ୟୁକ୍ରେନ ୩୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ନିୟନ୍ତ୍ରଣ ହାସଲ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଲଗାତର ଯୁଦ୍ଧ ଭିତରେ ଦେଶର ଉତ୍ତର-ପୂର୍ବର ୨୦ଟି ଗ୍ରାମକୁ ପୁଣି ୟୁକ୍ରେନ ନିଜ କବ୍‌ଜାକୁ ନେଇଛି ବୋଲି ସୈନ୍ୟମାନେ ଦାବି କରିଛନ୍ତି। ହେଲେ ଏବେ ବି ଉକ୍ତ ଅଞ୍ଚଳରେ ରୁଷିଆ ସୈନ୍ୟ ଆକ୍ରମଣ ଜାରି ରଖିଛନ୍ତି।

Share