ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ

କ୍ୱିଭ୍‌,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ ଦେଶ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୟୁକ୍ରେନର ମାରିୟୁପୋଲ ସହରରେ ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଦାବି କରାଯାଉଛି। ଏହି ଆକ୍ରମଣରେ ପ୍ରାୟ ୧୦ହଜାର ସାଧାରଣନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଆହୁରି ବୃଦ୍ଧି ପାଇ ୨୦ହଜାରରୁ ଊର୍ଦ୍ଧ୍ୱ ହୋଇପାରେ ବୋଲି ଆକଳନ କରାଯାଛଛି। ମାରିୟୁପୋଲ ମେୟର ଭାଡିମ ବଏଚେନ୍‌କୋ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନର ଗୃହମନ୍ତ୍ରଣାଳୟର ପରାମର୍ଶଦାତା ଆଣ୍ଟୋନ ଗେରେଶେଚେନ୍‌କୋ ଏକ ଟୁଇଟ୍‌ କରି ଦାବି କରିଛନ୍ତି ଯେ, ମାରିୟୁପୋଲରେ ରୁଷିଆ ସୈନ୍ୟମାନେ ରାସାୟନିକ ଆକ୍ରମଣ କରିଛନ୍ତି। ଏଥିସହ ସେ କହିଛନ୍ତି, ରୁଷିଆ ମାନବିକତାର ସମସ୍ତ ସୀମା ଅତିକ୍ରମ କରିସାରିଲାଣି। ବର୍ତ୍ତମାନ ରୁଷିଆ ସହ କଡ଼ା ଲଢ଼େଇରେ ୟୁକ୍ରେନ ଆହୁରି ଅସ୍ତ୍ରଶସ୍ତ୍ର ଲୋଡୁଛି ବୋଲି ଆଣ୍ଟୋନ ଗେରେଶେଚେନ୍‌କୋ କହିଛନ୍ତି। ଏଥିସହ କ୍ୱିଭ୍‌ ସହର ପରିଷଦର ଡେପୁଟି ଏଲିନା ମିଖାଇଲୋଭା ମଧ୍ୟ ଟୁଇଟ କରି ଏହା ରାସାୟନିକ ଆକ୍ରମଣ ବୋଲି ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରୁଷୀୟ ସୈନ୍ୟମାନେ ୟୁକ୍ରେନ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ମାରିୟୁପୋଲରେ ଏକ ବିଷାକ୍ତ ପଦାର୍ଥ ବ୍ୟବହାର କରିଛନ୍ତି। ରୁଷୀୟ ସୈନ୍ୟ ଏହି ରାସାୟନିକ ପଦାର୍ଥକୁ ଡ୍ରୋନ ମାଧ୍ୟମରେ ମାରିୟୁପୋଲ ଉପରେ ପକାଇଛନ୍ତି ବୋଲି ଏଲିନା ଦାବି କରିଛନ୍ତି। ଅନ୍ୟପଟେ ଏହି ଆକ୍ରମଣ ପରେ ମାରିୟୁପୋଲର ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ତେବେ ଏଥିରେ କେଉଁ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଛି ସେ ସମ୍ବନ୍ଧରେ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Share