ଯୁଦ୍ଧ ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲା ରୁଷିଆ

ମସ୍କୋ,୨୨।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଗାତର ୮ମାସ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ୍‌ ଯୁଦ୍ଧକୁ ଶେଷ କରିବାର ନାମ ନେଉ ନ ଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନତମସ୍ତକ ହେବାକୁ ପ୍ରସ୍ତୁତ ନୁହଁନ୍ତି। ଇତିମଧ୍ୟରେ ୟୁକ୍ରେନ ସମ୍ପର୍କରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ବାର୍ତ୍ତାଳାପ ଆମେରିକା ଏବଂ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଛି। ସୂଚନାଯୋଗ୍ୟ, ଆମେରିକାର ପ୍ରତିରକ୍ଷା ସଚିବ ଲେୟଡ ଅଷ୍ଟିନଙ୍କ ସହ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ଦେଶ ପାରସ୍ପରିକ କଥାବାର୍ତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୁଷିଆ ୟୁକ୍ରେନ ବିରୋଧରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେଇଥିବା ଜଣାପଡ଼ିଛି। ବୁଧବାର ପୁଟିନ୍‌ ୟୁକ୍ରେନର ୪ଟି ଅଧିକୃତ ଅଞ୍ଚଳରେ ମାର୍ଶଲ ଲ’ ଲାଗୁ କରିବାକୁ ଘୋଷଣା କରିଥିଲେ। ଏହି ଚାରୋଟି କ୍ଷେତ୍ରରେ ରୁଷିଆ ନିଜର ଅଧିକାର ଦାବି କରିଛି।

Share