ଭାକ୍ୟୁମ ବୋମା ବ୍ୟବହାର କରୁଛି ରୁଷିଆ

ଓ୍ବାଶିଂଟନ,୧।୩: ୟୁକ୍ରେନ ଉପରେ ଆକ୍ରମଣର ୬ଷ୍ଠ ଦିନ ତଥା ସୋମବାର ରୁଷିଆ ଭାକ୍ୟୁମ ଓ କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି। ଏହି ଅସ୍ତ୍ରକୁ ବ୍ୟବହାର କରି ରୁଷ ଜେନେଭା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନର ଦୂତ ଆମେରିକାକୁ କହିଛନ୍ତି।

ମାନବାଧିକାର ଓ୍ବାଚ୍‌ ପକ୍ଷରୁ କୁହାଯାଇଛି, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ବ୍ୟାନ ହୋଇଥିବା କ୍ଲଷ୍ଟର ମୁନିଶନ ଅସ୍ତ୍ରର ବ୍ୟବହାର କରିଛି ରୁଷିଆ। ସେହିଭଳି ରୁଷିଆ ସେନା ଉତ୍ତରପୂର୍ବ ୟୁକ୍ରେନରେ ଥିବା ଏକ ସ୍କୁଲରେ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିବା ବେଳେ ରୁଷିଆ ସେନା ଆକ୍ରମଣ କରିଥିବା ଦାବି କରିଛି ଆମନେଷ୍ଟି ଇଣ୍ଟରନ୍ୟାଶନାଲ।

ଆମେରିକାର ୟୁଏସ୍‌ କଂଗ୍ରେସ ସଦସ୍ୟଙ୍କ ସହ ବୈଠକ ପରେ ୟୁକ୍ରେନର ଦୂତ ଓକାସାନା ମାର୍କାରୋଭା କହିଛନ୍ତି, ରୁଷିଆ ସୋମବାର ଥେରମୋବାରିକ ଅସ୍ତ୍ର ତଥା ଭାକ୍ୟୁମ ବୋମା ବ୍ୟବହାର କରିଛି। ଏହା ଦ୍ୱାରା ୟୁକ୍ରେନର ବଡ଼ ଆକାରରେ କ୍ଷତି କରିବାକୁ ଚାହୁଁଛି ରୁଷିଆ।

ଭାକ୍ୟୁମ ବୋମା ଉଚ୍ଚ ତାପମାତ୍ରାରେ ବିସ୍ଫୋରଣ ପାଇଁ ଆଖପାଖ ବାୟରୁ ଅମ୍ଳଜାନ ଶୋଷି ନିଏ। ଯାହାଫଳରେ ସାଧାରଣ ବିସ୍ଫୋରଣ ଅପେକ୍ଷା ଏହାର ସମୟସୀମା ଯଥେଷ୍ଟ ଅଧିକ ହୋଇଥାଏ। ଏହି ବିସ୍ଫୋରଣ ମଣିଷ ଶରୀରକୁ ବାଷ୍ପୀକରଣ କରିବାରେ ସକ୍ଷମ। ତେବେ ଥେରମୋବାରିକ ଅସ୍ତ୍ର ବା ଭାକ୍ୟୁମ ବୋମା ୟୁକ୍ରେନରେ ବ୍ୟବହୃତ ହୋଇଥିବା ନେଇ କୌଣସି ଅଧିକାରୀ ସ୍ପଷ୍ଟ କରି ନାହାନ୍ତି।

Share