ପୁଣି ଚେତାବନୀ ଦେଲା ରୁଷିଆ

ମସ୍କୋ,୧୭।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ମାରିଉପୋଲରେ ୟୁକ୍ରେନ ସୈନିକମାନେ ଆତ୍ମସମର୍ପଣ ନ କଲେ ଧ୍ୱଂସ କରିଦେବୁ ବୋଲି ରୁଷିଆ ସେନା ଚେତାବନୀ ଦେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁକ୍ରେନ ସୈନ୍ୟମାନଙ୍କୁ ରବିବାର ସ୍ଥାନୀୟ ସମୟ ରାତି ୧ଟା ସୁଦ୍ଧା ମାରିଉପୋଲର ଆଜୋଭଷ୍ଟାଲ ଷ୍ଟିଲ ମିଲରେ ଆତ୍ମସମର୍ପଣ କରିବାକୁ କହିଛି। ଯେଉଁମାନେ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମସମର୍ପଣ କରିବେ ସେମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ଗ୍ୟାରେଣ୍ଟି ଦିଆଯିବ ବୋଲି ରୁଷିଆ ସେନା କହିଛି।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକୋଭ କହିଛନ୍ତି, ୟୁକ୍ରେନ ସାମରିକ କମାଣ୍ଡ ଏହାର ସୈନ୍ୟ ଆତ୍ମସମର୍ପଣ ଉପରେ ପ୍ରତିବନ୍ଧକ ଲଗାଇଛି। ଗୁପ୍ତଚର ଯୋଗେ ରୁଷିଆ ସେନା ଏହି ସୂଚନା ପାଇଛି। କୋନାଶେନକୋଭ ଚେତାବନୀ ଦେଇଛନ୍ତି ଯେ, ଯେଉଁମାନେ ପ୍ରତିରୋଧ ଜାରି ରଖନ୍ତି ସେମାନେ ବିନାଶ ହେବେ।

Share