Advertisement

ୟୁକ୍ରେନବାସୀଙ୍କୁ ଘର ଖାଲି କରିବାକୁ ଚେତାବନୀ ଦେଲା ରୁଷିଆ; ଆଜି ରାତିରେ କ୍ୱିଭ୍‌ରେ ଧ୍ୱଂସଲୀଳା

କ୍ୱିଭ୍‌, ୧ା୩: ୬ଷ୍ଠ ଦିନରେ ବି ଜାରି ରହିଛି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷିଆ ମଙ୍ଗଳବାର ମଧ୍ୟ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କ୍ୱିଭ୍‌ ଏବଂ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭକୁ କବ୍‌ଜା କରିବାକୁ ରୁଷିଆ ସୈନ୍ୟ ଘନଘନ ମିଶାଇଲ, ବୋମା ମାଡ଼ କରୁଛନ୍ତି। ପ୍ରାୟ ୬୪ କି.ମି. ପର୍ଯ୍ୟନ୍ତ ବିରାଟ ରୁଷୀୟ ସୈନ୍ୟ କନେ୍‌ଭେ ୟୁକ୍ରେନ୍‌ ସହର ଆଡ଼କୁ ମାଡ଼ି ଚାଲିଛି। ଏସବୁ ମଧ୍ୟରେ ରୁଷିଆ ଆହୁରି ଘାତକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। କ୍ୱିଭ୍‌ରେ ଥିବା ମୁଖ୍ୟାଳୟ ନିକଟରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ଚେତାବନୀ ଦେଇଛି ରୁଷିଆ। ମଙ୍ଗଳବାର ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷିଆର ସୈନିକ ୟୁକ୍ରେନ୍‌ର ସୁରକ୍ଷା ସେବା ଭିତ୍ତିଭୂମି ଉପରେ ଆକ୍ରମଣ କରିବେ। ରିଲେ ନୋଡ୍‌ ନିକଟରେ ରହୁଥିବା କ୍ୱିଭ୍‌ ନିବାସୀ ନିଜ ଘର ଛାଡ଼ନ୍ତୁ ବୋଲି ଆହ୍ବାନ କରୁଛୁ।

ପ୍ରକାଶ ଯେ, ଖର୍କିଭ ଏବଂ କ୍ୱିଭ୍‌ ମଧ୍ୟରେ ଓଖତିର୍କା ସହରରେ ଥିବା ୟୁକ୍ରେନ୍‌ ସେନା ଘାଟି ଉପରେ ରୁଷିଆ ଆକ୍ରମଣ କରିଛି। ଏଥିରେ ପ୍ରାୟ ୭୦ ୟୁକ୍ରେନ୍‌ ସୈନ୍ୟ ନିହତ ହୋଇଥିବା ଜଣାଯାଇଛି। ରକେଟ ମାଡ଼ରେ ୟୁକ୍ରେନର ଆଉ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୩୭ ଜଣ ଆହତ ହୋଇଥିବା ଖର୍କିଭ ମେୟର କହିଛନ୍ତି। ଏପରି କି ରୁଷିଆ ୟୁକ୍ରେନ୍‌ ସହରରେ ଭାକ୍ୟୁମ ବୋମା ବିସ୍ଫୋରଣ କରିଥିବା କ୍ୱିଭ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଆକ୍ରମଣ ଦିନଠାରୁ ଅନୂ୍ୟନ ୧୩୬ ୟୁକ୍ରେନ୍‌ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଏବଂ ୪୦୦ ଜଣ ଆହତ ହୋଇଥିବା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆକ୍ରମଣରେ ୩୬୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ଜୀବନ ଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share