ମହାରାଣୀଙ୍କ ଶେଷକୃତ୍ୟରେ ସାମିଲ ହେବନି ରୁଷିଆ

ଲଣ୍ଡନ,୧୪ା୯: ଲଣ୍ଡନରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବ୍ରିଟେନ୍‌ ସମ୍ରାଙ୍ଗୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ରୁଷିଆ, ମ୍ୟାନ୍‌ମାର ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ କାରଣରୁ ବ୍ରିଟେନ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ଲଗାଇଥିବାବେଳେ ଏହାର ମିତ୍ର ଦେଶ ବେଲାରୁଷକୁ ମଧ୍ୟ ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବାରୁ ବ୍ରିଟେନ୍‌ ବଞ୍ଚିତ କରିଛି। ଅନ୍ୟପଟେ ରୋହିଙ୍ଗ୍ୟା ସମ୍ପ୍ରଦାୟକୁ ନେଇ ଲଣ୍ଡନ ମ୍ୟାନ୍‌ମାର ଉପରେ ମଧ୍ୟ କଟକଣା ଲାଗୁ କରିଛି। ଲଣ୍ଡନରେ ହେବାକୁ ଥିବା ମହାରାଣୀଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ୫୦୦ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ଏଥିରେ ଯୋଗ ଦେବେ। ତେବେ ଏହା ବ୍ରିଟେନ୍‌ର ଏକ ବିଶାଳ କୂଟନୈତିକ ସମାବେଶ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଶ୍ୱ ନେତାଙ୍କ ପାଇଁ ବସ୍‌ର ବ୍ୟବସ୍ଥା ହୋଇଥିବା ବେଳେ ବାଇଡେନ୍‌ ନିଜସ୍ବ କାର୍‌ ଯୋଗେ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ।

Share