ୟୁକ୍ରେନ ସଙ୍କଟ ବଢ଼ାଇବନି ରୁଷିଆ: ମାକ୍ରଁ

କ୍ୱିଭ୍‌, ୯।୨:  ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିଛନ୍ତି। କ୍ରେମେଲିନ୍‌ରେ ହୋଇଥିବା ଆଲୋଚନାରେ ରୁଷିଆ ୟୁକ୍ରେନ ସୀମା ନିକଟରେ ଉତ୍ତେଜନା ବଢ଼ାଇବ ନାହିଁ ବୋଲି ପୁଟିନ୍‌ କହିଥିବା ମାକ୍ରଁ ମଙ୍ଗଳବାର ପ୍ରକାଶ କରିଛନ୍ତି। ବିବାଦ ନ ବଢ଼ାଇବାକୁ ରୁଷିଆ ରାଜି ହୋଇଥିବା ରିପୋର୍ଟକୁ କ୍ରେମେଲିନ୍‌ ପକ୍ଷରୁ ପୂର୍ବରୁ ଖଣ୍ଡନ କରାଯାଇଥିଲା। ସମ୍ପ୍ରତି ସ୍ଥିତିରେ ମସ୍କୋ ଏବଂ ପ୍ୟାରିସ୍‌ କୌଣସି ଚୁକ୍ତି କରିପାରିବେ ନାହିଁ ବୋଲି କ୍ରେମେଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଥିଲେ। କିନ୍ତୁ ମାକ୍ରଁ ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଗସ୍ତରେ ଥିବାବେଳେ ଉକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିସହ ମାକ୍ରଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ମଙ୍ଗଳବାର ଭେଟିଛନ୍ତି। ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦ ସମାଧାନ ପାଇଁ ମାସାଧିକ ସମୟ ଲାଗିପାରେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ୟୁୁକ୍ରେନ ସୀମା ନିକଟରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ କରିଥିବାବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି। ୟୁକ୍ରେନକୁ ନାଟୋରେ ସାମିଲ ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଉଦ୍ୟମ କରୁଥିବାବେଳେ ରୁଷିଆ ତାହା ଚାହୁଁ ନ ଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି।

Share