୬ ଘଣ୍ଟା ଯୁଦ୍ଧ ବନ୍ଦ କରିବ ରୁଷିଆ

କ୍ୱିଭ୍‌,୩ା୩: ଗୁରୁବାର ହେଉଛି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏଥିପାଇଁ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯାଉଛି। ଭାରତ ସରକାର (ରୁଷିଆ-ୟୁକ୍ରେନ ଯୁଦ୍ଧ ଇଣ୍ଡିଆନ ନ୍ୟାଶନାଲ ଇଭାକ୍ୟୁଏଶନ) ରୁଷିଆ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଛନ୍ତି। ଖାର୍କିଭ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ରୁଷିଆ ୬ ଘଣ୍ଟା ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି। ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଖାର୍କିଭରୁ ୟୁକ୍ରେନର ଚତୁର୍ଦ୍ଦିଗରେ ଥିବା ସୀମାକୁ ସୁରକ୍ଷିତ ଭାବେ ନେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ୟୁକ୍ରେନର ଖାର୍କିଭ ସହରରେ ହଜାର ହଜାର ଭାରତୀୟ ଛାତୀଛାତ୍ର ଫସି ରହିଥିବା ଜଣାଯାଇଛି। ଭାରତୀୟମାନଙ୍କୁ ଯିବାକୁ ଅନୁମତି ଦିଆଯାଉ ନାହିଁ ବୋଲି କୁହାଯାଇଥିଲା। ବୁଧବାର ରାତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି।  ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ପ୍ରସଙ୍ଗ ଉଠାଇଥିଲେ। ରୁଷିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ରୁଷିଆ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ। ଖାର୍କିଭରେ ୟୁକ୍ରେନ ସୈନ୍ୟ ଭାରତୀୟ ଛାତ୍ରୀଛାତ୍ରଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଛନ୍ତି।

Share