ଯୁଦ୍ଧ ଶେଷ କରିବାକୁ ୟୁକ୍ରେନ୍ ସାମ୍ନାରେ ୪ଟି ସର୍ତ୍ତ ରଖିଲା ରୁଷିଆ

ମସ୍କୋ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଯୁଦ୍ଧ ଶେଷ କରିବାକୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ତେବେ ଯୁଦ୍ଧ ଶେଷ କରିବାକୁ ରୁଷିଆ ୟୁକ୍ରେନ୍ ସାମ୍ନାରେ ୪ଟି ସର୍ତ୍ତ ରଖିଛି । ଯଦି ଏସବୁ ସର୍ତ୍ତକୁ ୟୁକ୍ରେନ୍ ମାନିଯାଏ ତେବେ ତୁରନ୍ତ ଯୁଦ୍ଧ ବନ୍ଦ କରି ଦିଆଯିବ ବୋଲି ରୁଷିଆ କହିଛି ।
ପ୍ରଥମେ ରୁଷିଆ କହିଛି, ୨୪ ଫେବୃୟାରୀରେ ସେ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ରୁଷିଆର ଉଦ୍ଦେଶ୍ୟ ନ ଥିଲା ୟୂକ୍ରେନକୁ କବଜା କରିବା ବରଂ ଏହାକୁ ଡିମୋଟାଲାଇଜ ବା ନତ ମସ୍ତକ କରିବା । ଅର୍ଥାତ୍ ରୁଷିଆ ଚାହୁଁଥିଲା ୟୁକ୍ରେନ୍ ସେନା ଆକ୍ରମଣ ବନ୍ଦ କରୁ ।
ଦ୍ୱିତୀୟରେ ୟୁକ୍ରେନ୍ ଅନ୍ୟ କୌଣସି ସଙ୍ଗଠନରେ ସାମିଲ ହେବାକୁ ରୁଷିଆ ଚାହେଁ ନାହିଁ । କାରଣ ୟୁକ୍ରେନ ଲଗାତାର ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି । ତେଣୁ ୟୁକ୍ରେନ ତା’ର ସମ୍ବିଧାନରେ ପରିବର୍ତ୍ତନ ଆଣିଲେ ସହଜରେ ନାଟୋ ଓ ଉୟୁ ଭଳି ସଂଗଠନରେ ସାମିଲ ହୋଇ ପାରିବ ନାହିଁ ।
ତୃତୀୟରେ କ୍ରିମିୟାକୁ ମାନ୍ୟତା ଦେଉ ୟୁକ୍ରେନ୍ । କ୍ରିମିୟା ପୂର୍ବରୁ ରୁଷିଆର ଥିବା ବେଳେ ୧୯୫୪ରେ ତତ୍କାଳିନ ସୋଭିଏତ ସଂଘର ନେତା ନିକିତା ଖ୍ରୁଶ୍ଚେବ ଏହାକୁ ୟୁକ୍ରେନକୁ ଉପହାରରେ ଦେଇ ଦେଇଥିଲେ । ହେଲେ ୨୦୧୪ରେ ରୁଷିଆ ଆକ୍ରମଣ କରି କ୍ରିମିୟାକୁ ରୁଷିଆରେ ମିଶାଇ ଦେଇଥିଲା । ହେଲେ ୟୁକ୍ରେନ୍ ଏପର୍ଯ୍ୟନ୍ତ ଏହାକୁ ମାନ୍ୟତା ଦେଉନାହିଁ ।
ଚତୁର୍ଥରେ ୨୦୧୪ରେ ପୂର୍ବ ୟୁକ୍ରେନର ଡୋନବାସ ଅଞ୍ଚଳରେ ଥିବା ଡୋନେତ୍ସକ ଓ ଲୁହାଂସ୍କକୁ ବିଛିନ୍ନତାବାଦୀମାନେ ସ୍ୱତନ୍ତ୍ର ଦେଶ ଘୋଷଣା କରିଥିଲେ । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭର କିଛିଦିନ ପୂର୍ବରୁ ରୁଷିଆ ଡୋନେତ୍ସକ ଓ ଲୁହାଂସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା ହେଲେ ୟକ୍ରେନ ଏହାକୁ ବିରୋଧ କରିଥିଲା । ଏବେ ରୁଷିଆ ସର୍ତ୍ତ ରଖିଛି ଯେ ୟୁକ୍ରେନ ଡୋନେତ୍ସକ ଓ ଲୁହାଂସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଉ ।
ଏହି ୪ ସର୍ତ୍ତ ପୂରଣ ହେଲେ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରିଦେବ ବୋଲି କହିଛି ।

Share