ଶୀତ ପରେ ପୁଣି ବଢ଼ିବ ରୁଷିଆ ଆକ୍ରମଣ, ୟୁକ୍ରେନ୍‌କୁ ସମସ୍ତ ସହାୟତା ଯୋଗାଇବା ଆମେ ପ୍ରସ୍ତୁତ: ଆମେରିକା…

ମସ୍କୋ,୨୬।୧ : ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ପାଟ୍ରିୟଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବା ପରେ ବର୍ତ୍ତମାନ ଆମେରିକା ମଧ୍ୟ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିଛି। ଏହା ବ୍ୟତୀତ ୟୁକ୍ରେନ ସେନାକୁ ସାହାଯ୍ୟ କରିବା ପାଇଁ ଜର୍ମାନୀ ଟ୍ୟାଙ୍କ ପଠାଇବାକୁ ମଧ୍ୟ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ହ୍ବାଇଟ ହାଉସ କହିଛି ଯେ ରୁଷିଆର ଆକ୍ରୋଶ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରରେ ୟୁକ୍ରେନକୁ ସବୁ କ୍ଷେତ୍ରରେ ସକ୍ଷମ କରିବା ଆମର ଏବଂ ଆମର ସହଯୋଗୀମାନଙ୍କର ଏକମାତ୍ର ଲକ୍ଷ୍ୟ।

ହ୍ବାଇଟ ହାଉସର ସଚିବ ଜନ କିର୍ବି କହିଛନ୍ତି ଯେ ୟୁକ୍ରେନକୁ ଆଉ ଦୁଇଟି ବାଟାଲିୟନ ସଂଗଠିତ କରିବାରେ ଜର୍ମାନୀ ସାହାଯ୍ୟ କରିବ। ଏଥିସହ ବ୍ରିଟେନ ଏହାର ଚ୍ୟାଲେଞ୍ଜର୍‌ ଟ୍ୟାଙ୍କ ପଠାଇବାକୁ ରାଜି ହୋଇଥିବାବେଳେ ଫ୍ରାନ୍ସ ମଧ୍ୟ ସଶସ୍ତ୍ର ଯାନ ସହିତ ୟୁକ୍ରେନକୁ ସାହାଯ୍ୟ କରିବ।

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଘୋଷଣା କରିଛନ୍ତି ଯେ ଆମେରିକା ୟୁକ୍ରେନକୁ ୩୧ଟି ଅତ୍ୟାଧୁନିକ ଆବ୍ରାମ ଯୁଦ୍ଧ ଟ୍ୟାଙ୍କ ପଠାଇବ। ଏହା ବ୍ୟତୀତ ଜର୍ମାନୀ ୟୁକ୍ରେନକୁ ୧୪ ଟି ଲିଓପାର୍ଡ ୨-ଏ-୬ ଟ୍ୟାଙ୍କ ପଠାଇବାକୁ ମଧ୍ୟ ରାଜି ହୋଇଛି। ବାସ୍ତବରେ, ଉଭୟ ଲିଓପାର୍ଡ ୨ ଏବଂ ଆବ୍ରାମ ଅତ୍ୟାଧୁନିକ ଟ୍ୟାଙ୍କ ରୁଷିଆର ଟ୍ୟାଙ୍କଠାରୁ ଉନ୍ନତ। ତେବେ ଜୋ ବାଇଡେନ ସ୍ବୀକାର କରିଛନ୍ତି ଯେ ୟୁକ୍ରେନକୁ ଟ୍ୟାଙ୍କର ଯେଗାଣ ପାଇଁ କିଛି ସମୟ ଲାଗିପାରେ।

ହ୍ବାଇଟ ହାଉସର ମୁଖପାତ୍ର କିର୍ବି କହିଛନ୍ତି ଯେ ଶୀତ ପାଇଁ ରୁଷିଆ ଅକ୍ରମଣ ମନ୍ଥର କରି ଦେଇଛି। ଶୀତ କମିବା ପରେ ରୁଷିଆର ଆକ୍ରମଣ ପୁଣି ତୀବ୍ର ହେବ। ତେଣୁ ୟୁକ୍ରେନ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Share