କାନାଡାର ଏୟାରସ୍ପେସ୍‌ରେ ପଶିଲା ରୁଷିଆ ଫ୍ଲାଇଟ୍‌

ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍‌ ଏରୋଫ୍ଲଟ୍‌ ରବିବାର କାନାଡାର ଏୟାରସ୍ପେସ୍‌ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର କୁହାଯାଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ନାଟୋ ସଦସ୍ୟ ଦେଶ ଭଳି କାନାଡା ମଧ୍ୟ ରୁଷିଆନ ଏୟାର ଲାଇନ ଓ ବିମାନ ପାଇଁ ଏୟାରସ୍ପେସ୍‌ ବ୍ୟବହାର ଉପରେ କଟକଣା ଲାଗୁ କରିଛି।

“ଏରୋଫ୍ଲଟ ଫ୍ଲାଇଟ୍‌ ୧୧୧ ପ୍ରତିବନ୍ଧକ ଉଲ୍ଲଂଘନ କରିଥିବା ଆମକୁ ଜଣାଅଛି। ଫ୍ଲାଇଟ୍‌ ୧୧୧ ଫ୍ଲୋରିଡାର ମିଆମିରୁ ମସ୍କୋ ଯାଉଥିଲା। ଏଥିଲାଗି ଏରୋଫ୍ଲଟ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆମେ ପଛ ଘୁଞ୍ଚା ଦେବୁ ନାହିଁ ” ବୋଲି ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ଟୁଇଟରରେ କୁହାଯାଇଛି। କାନାଡା ସମେତ ସ୍ବିଡେନ, ଫିନଲାଣ୍ଡ, ଡେନମାର୍କ, ବ୍ରିଟେନ, ପୋଲାଣ୍ଡ, ବୁଲଗେରିଆ, ଚେକ୍‌ ରିପବ୍ଲିକ, ରୋମାନିଆ ଓ ଆଇସ୍‌ଲାଣ୍ଡ ମଧ୍ୟ ରୁଷିଆ ଉପରେ ସମାନ କଟକଣା ଲଗାଇଛନ୍ତି।

Share