କ୍ୱିଭ୍‌ କବ୍‌ଜା କରିବାକୁ ରୁଷିଆର ଶେଷ ପ୍ରସ୍ତୁତି

କ୍ୱିଭ୍‌,୧୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୬ତମ ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଖି ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଉପରେ ରହିଛି। ଏହାକୁ କବ୍‌ଜା କରିବା ଲାଗି ରୁଷିଆର ସୈନ୍ୟମାନେ ବର୍ତ୍ତମାନ କ୍ୱିଭ୍‌କୁ ୨ପାର୍ଶ୍ୱରୁ ଘେରି ରହିଛନ୍ତି। ଏଥିସହ ରାଜଧାନୀ କ୍ୱିଭରେ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରର ଆକ୍ରମଣକୁ ତୀବ୍ର କରିଛି ରୁଷିଆ। ଉତ୍ତରରେ ଇରପିନ ଏବଂ ପୂର୍ବରେ ବ୍ରୋଭାରୀ ଉପରେ ରୁଷିଆର ସୈନ୍ୟ କ୍ରମାଗତ ଭାବରେ ଆକ୍ରମଣ କରୁଛନ୍ତି। ଦୁଇପକ୍ଷରୁ ହେଉଥିବା ଆକ୍ରମଣରେ ୟୁକ୍ରେନ ଥରି ଉଠିଛି। କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆର ସୈନ୍ୟମାନେ ବର୍ତ୍ତମାନ ଦ୍ରୁତ ଗତିରେ ଆଗେଇ ଚାଲିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ କ୍ରିମିଆ ମାର୍ଗକୁ ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏଜେନ୍ସି ରିପୋର୍ଟ ଅନୁଯାୟୀ, ରୁଷିଆ ୟୁକ୍ରେନ ଉପରେ ଟ୍ୟାଙ୍କ, ପାରାଟ୍ରୁପର, ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରରେ ଆକ୍ରମଣ କରୁଛି। ନିକଟରେ ଆମେରିକାର ଏକ ଘରୋଇ କମ୍ପାନୀ  ସାଟେଲାଇଟ୍‌ ଚିତ୍ର ଜାରି କରିଛି। ଯେଉଁଥିରେ ମହାଯୁଦ୍ଧର ଆରମ୍ଭରୁ ରାଜଧାନୀ କ୍ୱିଭ୍‌ର ପ୍ରାୟ ୬୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ରୁଷିଆ ସୈନ୍ୟମାନେ ଚାରିପଟୁ ଘେରି ରହିଛନ୍ତି। କିନ୍ତୁ ବର୍ତ୍ତମାନ ରୁଷିଆ ପୁଣି ଥରେ ସେଠାରେ ସୈନ୍ୟଙ୍କୁ ନିୟୋଜିତ କରିଥିବା ଜଣାପଡ଼ିଛି। ସାଟେଲାଇଟ୍‌ ଚିତ୍ରରେ ଏକ ବଡ଼ ସାମରିକ କନ୍‌ଭେନ୍‌ ନଜର ଆସିଛି। ଏହାକୁ ଶେଷ ଥର ପାଇଁ କ୍ୱିଭ୍‌ର ଉତ୍ତର-ପଶ୍ଚିମ ଆଣ୍ଟୋନୋଭ ବିମାନବନ୍ଦର ନିକଟରେ ଦେଖାଯାଇଥିଲା।

Share