ୟୁକ୍ରେନ ଡ୍ୟାମ ଉପରେ ରୁଷିଆର ମିଶାଇଲ ମାଡ, ସାମୁହିକ କବରରୁ ମିଳିଲା ୪୦୦ରୁ ଊର୍ଦ୍ଧ୍ୱ ମୃତଦେହ

କ୍ୱିଭ,୧୬ ।୯: ଦୀର୍ଘ ପ୍ରାୟ ୭ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଉଭୟ ଉଭୟଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏବେ ରୁଷିଆ ସେନାଙ୍କ ହାତରୁ କିଛି ଅଞ୍ଚଳକୁ ୟୁକ୍ରେନ୍ ସେନା ଫେରାଇ ଆଣୁଥିବା ବେଳେ ରୁଷିଆ ସେନା ଆହୁରି ଆକ୍ରମକ ହୋଇ ଉଠିଛି । ଏବେ ରୁଷିଆ ସେନା ୟୁକ୍ରେନର କ୍ରିଭ ରିହ ସହରର ଏକ ବଡ ଡ୍ୟାମକୁ ଟାର୍ଗେଟ କରିଛି । ଅନ୍ୟପଟେ ଇଜିୟମ ସହରରେ ଏକ ସାମୁହିକ କବରରୁ ୪୦୦ରୁ ଅଧିକ ମୃତଦେହ ମିଳିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ ସେନା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ହୋମ ଟାଉନ କ୍ରିଭି ରିହ ନିକଟରେ ଇନହୁଲେତ୍ସ ନଦୀରେ ନିର୍ମିତ ଏକ ଡ୍ୟାମ ବା ବନ୍ଧକୁ ୮ କ୍ରୁଜ ମିଶାଇଲ ଦ୍ୱାରା ଉଡାଇ ଦେଇଛନ୍ତି । ଏହାଦ୍ୱାରା ସହରର ଅଧିକାଂଶ ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପସିଯାଇଛି । ଏବେ ସହରରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।
କ୍ରିଭି ରିହ ସହରର ସେନା ପ୍ରଶାସନ ମୁଖ୍ୟ ଆଲେକଜାଣ୍ଡର ଭିଲକୁଲ କହିଛନ୍ତି ବନ୍ଧ ଭାଙ୍ଗିବା କାରଣରୁ ସହରର ଦୁଇଟି ଜିଲାରେ ପ୍ରାୟ ୨୨ଟି ରାସ୍ତା ନଷ୍ଟ ହୋଇଯାଇଛି । ଏପଟେ ଜେଲେନ୍‌ସ୍କି ରୁଷିଆକୁ ଆତଙ୍କି ଦେଶ କହିବା ସହ ନାଗରିକଙ୍କ ସହ ବି ସେନା ଯୁ୍‌ଦ୍ଧ ଲଢୁଛି ବୋଲି କହିଛନ୍ତି । ରୁଷିଆ ଏକ ଦୁର୍ବଳ ଦେଶ ବୋଲି ମଧ୍ୟ ସେ କହିଛନ୍ତି ।

Share