ୟୁକ୍ରେନ୍‌ ଉପରେ ରୁଷିଆର ଘନ ଘନ ଆକ୍ରମଣ

କିଭ୍‌, ୩୧ା୧୨: ବର୍ଷ ଶେଷ ହେବାକୁ ବସିଥିବାବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ଇତିମଧ୍ୟରେ ଯୁଦ୍ଧକୁ ୧୦ ମାସରୁ ଊର୍ଦ୍ଧ ଦିନ ବିତିଯାଇଛି। କିଛି ସପ୍ତାହର ବିରତି ପରେ ପୁଣି ଆଟାକିଂ ମୋଡ୍‌କୁ ଚାଲିଆସିଛି ରୁଷିଆ। ଗୁରୁବାର ରୁଷିଆ ୟୁକ୍ରେନ୍‌ ଉପରକୁ ଘନଘନ ମିଶାଇଲ ମାଡ଼ କରିଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରକୁ ମୋଟ ୬୯ ମିଶାଇଲ ଆକ୍ରମଣ କରିଥିବାବେଳେ ସେଥିରୁ ୫୪ଟିକୁ ମିଶାଇଲକୁ ସୈନ୍ୟ ନିଷ୍କ୍ରିୟ କରିଦେଇଥିବା ୟୁକ୍ରେନୀୟ ସେନାମୁଖ୍ୟ ଜେନେରାଲ ଭାଲେରି ଜାଲୁଝନି୍ୟ କହିଛନ୍ତି। ରୁଷିଆର ମିଶାଇଲ୍‌ ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ପାଓ୍ବାର ଷ୍ଟେଶନ୍‌ ସହିତ ବହୁ ବିଲ୍ଡିଂ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏଥିରେ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର କୁହାଯାଉଥିବା ଖାରକିଭ୍‌ର ୨ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ୟୁକ୍ରେନ୍‌ର କିଛି ନର୍ଦ୍ଦିଷ୍ଟ ଇଲାକାରେ ୧୬ ରୁଷୀୟ ଡ୍ରୋନ୍‌ ବୁଲୁଥିବାବେଳେ ୟୁକ୍ରେନ ବାୟୁସେନା ଉକ୍ତ ଡ୍ରୋନ୍‌ଗୁଡ଼ିକୁ ନଷ୍ଟ କରିଦେଇଥିବା କହିଛି। ଅକ୍ଟୋବର ପରଠାରୁ ୟୁକ୍ରେନରେ ବିଦ୍ୟୁତ୍‌ ଏବଂ ଜଳର ଘୋର ଅଭାବ ଦେଇ ଗତି କରୁଛନ୍ତି।

Share