ପଣ୍ୟବାହୀ ଜାହାଜରେ ରୁଷୀୟ ନାଗରିକ ମୃତ୍ୟୁ ଘଟଣା: ମୁଣ୍ଡରେ ଲାଗିଛି ଆଘାତ

ପାରାଦୀପ, ୫ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏମ.ଭି. ଅଲ୍‌ଦନାହ ଜାହାଜରେ ମଙ୍ଗଳବାର ଭୋରରୁ ଜଣେ ରୁଷୀୟ ନାଗରିକ ତଥା ଜାହାଜର ମୁଖ୍ୟଯନ୍ତ୍ରୀ ମିଲିୟାକୁଭ୍‌ ସର୍ଗେଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି। ଅପରପକ୍ଷେ ଜାହାଜରେ ଅନ୍ୟ ୨୨ ଜଣ ନାବିକଙ୍କ ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ପାସ୍‌ପୋର୍ଟ ଜବତ କରି ବ୍ୟକ୍ତିଗତ ଜିମାରେ ଫେରାଇ ଦିଆଯାଇଛି।
ଘଟଣାରେ ଜାହାଜର ଏଜେଣ୍ଟ କାହ୍ନୁ ସିପିଂ ପକ୍ଷରୁ ମେରାଇନ୍‌ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଅପମୃତ୍ୟୁ ମାମଲା (ନଂ.୧/୨୦୨୩) ରୁଜୁ କରିଥିଲା। ପୋଲିସ ବୁଧବାର ମୃତଦେହକୁ ଜାହାଜରୁ ନେଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ମାଜିଷ୍ଟ୍ରେଟ ଭାବେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ଉପସ୍ଥିତିରେ ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ମୃତଦେହକୁ ଆଣି ପୋଲିସ ବନ୍ଦର ଚିକିତ୍ସାଳୟରେ ଥିବା ଶବାଗାର ଘରେ ସଂରକ୍ଷିତ ରଖିଛି। ଥାନାଧିକାରୀ ଲିଜାରାଣୀ ବିଶ୍ୱାଳ କୁହନ୍ତି, ମୃତଦେହ ସଂରକ୍ଷିତ ରହିବ। ସମସ୍ତ ରିପୋର୍ଟ ବୈଦେଶିକ ମନ୍ତ୍ରଣାଳୟ ପାଖକୁ ପଠାଯିବ। ସମ୍ପୃକ୍ତ ରିପୋର୍ଟ ରୁଷୀୟ ଦୂତାବାସ ଜରିଆରେ ତାଙ୍କ ଦେଶକୁ ଯିବ। ସେଠାରୁ ସମସ୍ତ କ୍ଲିୟରାନ୍ସ ମିଳିବା ପରେ ମୃତଦେହ ରୁଷିଆ ଯିବ କି ଅନ୍ୟ କୌଣସି ବ୍ୟବସ୍ଥା କରାଯିବ ତାହା ଜଣାପଡ଼ିବ। ଯନ୍ତ୍ରୀ ସର୍ଗେ ପକେଟରେ ଟର୍ଚ୍ଚ ଓ ସ୍କୃ ରଖି କାମ କରିବାବେଳେ ଅସୁସ୍ଥ ଲାଗିବାରୁ ତଳେ ପଡ଼ିଯାଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସେତେବେଳେ ହୁଏତ ତାଙ୍କ ମୁଣ୍ଡ ପାଖରେ ଥିବା ଲୁହା ବାଡରେ ଲାଗିଥାଇପାରେ ବୋଲି ବିଶ୍ୱାଳ କହିଛନ୍ତି। ମୃତଦେହ ଆଣିବା ଲାଗି ମଙ୍ଗଳବାର ସାରେ ପୋଲିସ ଟିମ୍‌ ଏକ ଟଗ୍‌ ବୋଟ ଯୋଗେ ଆଙ୍କରେଜ ଏରିଆକୁ ଯାଇଥିଲେ। ସମୁଦ୍ର କରେଣ୍ଟ ଅଧିକ ଥିବାରୁ ଜାହାଜରୁ ମୃତଦେହ କାଢ଼ିବା ସମ୍ଭବ ହୋଇ ପାରି ନ ଥିଲା। ପରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ମାତ୍ର ଘଣ୍ଟାଏ ପାଇଁ ବର୍ଥିଂ କରାଯାଇଥିଲା। ରାତି ୨ଟାରେ ପୋଲିସ ମୃତଦେହ ଜବତ କରିବା ପରେ ଜାହାଜ ପୁଣି ଆଙ୍କରେଜ ଏରିଆରେ ଯାଇ ରହିଛି। ଅର୍ଥ ଜମା କରିବା ପରେ ଗୁରୁବାର ଜାହାଜ ବର୍ଥିଂ ହେବ। ଜାହାଜରେ ୫୬ ହଜାର ମେଟ୍ରିକ ଟନ୍‌ ଲୁହାପଥର ବୋଝେଇ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ନ୍ୟାୟ ପାଇଁ ଲଢେଇ ସଙ୍ଗଠନର ସଭାପତି ସୁବ୍ରତ ଦାସ ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ (ନଂ.୧୯୩/୨୩) ମାମଲା ରୁଜୁ ହୋଇଛି।

Share