ମାର୍ଚ୍ଚରେ ଭାରତ ଆସିବେ ରୁଷିଆ ବୈଦେଶିକ ମନ୍ତ୍ରୀ, ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ

ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ । ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସର୍ଗୋଇଙ୍କ ଭାରତ ଯାତ୍ରା ସମ୍ପର୍କରେ ସୂଚନା ଦିଆଯାଇଛି ।
ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ଟୁଇଟ କରି କହିଛି ଲାଭରୋଭ ୧-୩ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ସମୟରେ ତାଙ୍କର ଭାରତୀୟ ସମକକ୍ଷ ଡା. ଏସ ଜୟଶଙ୍କରଙ୍କ ସହ ସାକ୍ଷାତ୍ କରିବେ ଓ ନୂଆଦିଲ୍ଲୀରେ ଜି୨୦ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ସାମିଲ ନେବେ ।
ସୂଚନାଯୋଗ୍ୟ, ମାର୍ଚ୍ଚରେ ନୂଆଦିଲ୍ଲୀରେ ଭାରତର ଅଧ୍ୟକ୍ଷତାରେ ଜି୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ଜି୨୦ ସଦସ୍ୟ ଦେଶ ବ୍ୟତୀତ ଭାରତର ବିଶେଷ ନିମନ୍ତ୍ରିତ ଅତିଥି ଦେଶ ବାଂଲାଦେଶ, ମିଶ୍ର, ମରିସସ, ନେଦରଲ୍ୟାଣ୍ଡସ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ ଓ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧି ବି ସାମିଲ ହେବେ ।

Share