ଆଜି ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ, ୩୧ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଭିତରେ ବିଶ୍ୱରେ ନୂଆ ଓ୍ବାଲର୍‌ଡ ଅର୍ଡର (ବିଶ୍ୱର ଘଟଣାବଳୀକୁ ନିୟନ୍ତ୍ରଣ କରୁଥିବା ଏକ ବ୍ୟବସ୍ଥା ଯାହାକି ବୈଶ୍ୱିକ ସ୍ଥିରତା ପାଇଁ ପ୍ରତିଷ୍ଠିତ) ସୃଷ୍ଟି ହେଉଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ରୁଷିଆ ଓ ଚାଇନା ଏହି ଭିଜନ୍‌କୁ ଆଗକୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ ପରଠାରୁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ ବୁଧବାର ଚାଇନାରେ ପହଞ୍ଚିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ଚାଇନା ଆୟୋଜନ କରିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ବୈଠକରେ ଲାଭ୍ରୋଭ୍‌ଙ୍କ ସମେତ ପାକିସ୍ତାନ, ଇରାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ପ୍ରତିନିଧି ସାମିଲ ହୋଇଛନ୍ତି। ଏଥିରେ ତାଲିବାନ୍‌ ସରକାର ଅଧୀନରେ ଆଫଗାନିସ୍ତାନରେ ସ୍ଥିରତା ଓ ଆର୍ଥିକ ପ୍ରଗତି ଉପରେ ବେଜିଂ ଗୁରୁତ୍ୱ ଦେଇଛି। ଚାଇନା ଓ ରୁଷିଆ ଏକ ନିରପେକ୍ଷ ବିଶ୍ୱ ବ୍ୟବସ୍ଥା ଆଡ଼କୁ ଗତି କରୁଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କ ଇତିହାସରେ ଦୁନିଆ ଆହ୍ବାନପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି। ଏହି ସମ୍ପର୍କ ପୁନଃନିର୍ମାଣ ଦିଗରେ ସହଯୋଗୀମାନଙ୍କ ସହ ବହୁମୁଖୀ, ନ୍ୟାୟସଙ୍ଗତ, ଗଣତାନ୍ତ୍ରିକ ବିଶ୍ୱ ବ୍ୟବସ୍ଥା ପାଇଁ କାମ କରିବୁ ବୋଲି ଲାଭ୍ରୋଭ୍‌ କହିଛନ୍ତି। ଚାଇନା ପରେ ଲାଭ୍ରୋଭ୍‌ ମାର୍ଚ୍ଚ ୩୧ ଓ ଏପ୍ରିଲ ୧ରେ ଦୁଇଦିନିଆ ଭାରତ ଗସ୍ତ କରିବେ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

Share