Categories: ଖେଳ

ରୁଷୀୟ ହକି ଖେଳାଳି ପୋଲାଣ୍ଡରେ ଅଟକ

ଓ୍ବାରସ (ପୋଲାଣ୍ଡ), ୧।୭(ଏପି): ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହରେ ପୋଲାଣ୍ଡ କର୍ତ୍ତୃପକ୍ଷ ରୁଷିଆର ଜଣେ ହକି ଖେଳାଳିଙ୍କୁ ଅଟକ ରଖିଛନ୍ତି। ଏହି ଖେଳାଳି ଜଣକ ପୋଲାଣ୍ଡର ଏକ ପ୍ରଥମ ଶ୍ରେଣୀ ଲିଗ୍‌ କ୍ଲବରୁ ଖେଳନ୍ତି। ଦେଶର ବିଚାର ବିଭାଗ ମନ୍ତ୍ରୀ ତଥା ଚିଫ୍‌ ପ୍ରସିକ୍ୟୁଟର ଜିବିଗ୍‌୍‌ନ୍ୟୁ ଜିଓବ୍ରୋ ଏ ସୂଚନା ଦେଇଛନ୍ତି। ଖେଳାଳି ଜଣଙ୍କୁ ଜୁନ୍‌ ୧୧ରେ ଗିରଫ କରାଯାଇଛି। ସେ ଏକ ସ୍ପାଏ ନେଟ୍‌ଓ୍ବର୍କର ୧୪ତମ ସଦସ୍ୟ ବୋଲି ସନ୍ଦେହ କରାଯାଉଛି। ସେ ପୋଲାଣ୍ଡର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ବିଦେଶୀ ଗୋଇନ୍ଦା ସଂସ୍ଥା ଏବଂ ଏକ ସଂଗଠିତ ଅପରାଧ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରିଥାନ୍ତି। ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ୧୦ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଦେଶର ନ୍ୟୁଜ୍‌ ଏଜେନ୍ସି ‘ପାପ୍‌’ର କହିବା ଅନୁସାରେ, ରୁଷିଆ ସଂଗଠିତ ଅପରାଧ ଗୋଷ୍ଠୀକୁ ୟୁକ୍ରେନ୍‌କୁ ସଂଯୋଗ କରୁଥିବା ରେଳପଥ ଉପରେ ନଜର ରଖିବା କ୍ଷେତ୍ରରେ ବ୍ୟବହାର କରୁଛି। ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନକୁ ସହାୟତା କରିବାକୁ ଯାଇ ପାଶ୍ଚାତ୍ୟ ଦେଶଗୁଡ଼ିକ ପୋଲାଣ୍ଡରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛନ୍ତି।

Share