ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ, ଋଷିଆର ଏକ ସରକାରୀ ଗଣମାଧ୍ୟମ ଭାରତ ବିରୋଧରେ ଭୁଲ ଏଜେଣ୍ଡା ପ୍ରସାରଣ କରିଥିବାରୁ ପାଶ୍ଚାତ୍ୟ ଗଣମାଧ୍ୟମକୁ ତାଗିଦ କରିଛି।

ନିକଟରେ ୱାଶିଂଟନ ପୋଷ୍ଟ ଏକ ଖବର ପ୍ରକାଶ କରିଛି। ଯେଉଁଥିରେ ଜି -୨୦ ପାଇଁ ରାଜଧାନୀ ଦିଲ୍ଲୀର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ଗରିବଙ୍କ ଘରକୁ ଲୁଚା ଯାଉଛି ବୋଲି କୁହାଯାଇଥିଲା। ତେବେ ଋଷିଆର ସରକାରୀ ଗଣମାଧ୍ୟମ ସଂସ୍ଥା ଋଷିଆ ଟିଭି (ଆରଟିଓ) ଏନେଇ ପାଶ୍ଚାତ୍ୟ ଗଣମାଧ୍ୟମ ଉପରେ ଖୁବ୍‌ ବର୍ଷିଥିଲା।

ଆରଟିଓ ପାଶ୍ଚାତ୍ୟ ଗଣମାଧ୍ୟମ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ନିନ୍ଦା କରିବା ସହ ଏଗୁଡିକ ଭାରତକୁ ନକାରାତ୍ମକ ଢଙ୍ଗରେ ଚିତ୍ରଣ କରିଛି ବୋଲି ଅଭିଯୋଗ କରିଛି। ପାଶ୍ଚାତ୍ୟ ଗଣମାଧ୍ୟମ କେବଳ ଭାରତର ଗରିବ ଲୋକଙ୍କ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିଛି।

ପାଶ୍ଚାତ୍ୟ ଗଣମାଧ୍ୟମକୁ ଟାର୍ଗେଟ କରି ଆରଟିଓ କହିଛି, ପାଶ୍ଚାତ୍ୟ ଗଣମାଧ୍ୟମଗୁଡିକ ଗ୍ଲୋବାଲ ସାଉଥ ଦେଶଗୁଡ଼ିକୁ ଅପରିଚିତ ନଜରରେ ଦେଖୁଛନ୍ତି। ଅନେକ ଗରିବ ଲୋକ ପାଶ୍ଚାତ୍ୟ ଧନୀ ଦେଶରେ ମଧ୍ୟ ବାସ କରନ୍ତି। ଯେପରି ଭାରତରେ ଧନୀମାନଙ୍କ ମଧ୍ୟରେ ଗରିବ ଲୋକ ବାସ କରନ୍ତି। କିନ୍ତୁ ଆମେରିକାର ସିଲିକନ ଭ୍ୟାଲିରେ ଲୋକମାନଙ୍କର ରହିବାକୁ ଘର ନାହିଁ। ଆମେରିକାର ବଡ ସହରରେ ଡ୍ରଗ୍ସର ସମସ୍ୟା ମଧ୍ୟ ଅଛି, ଯାହା ସମ୍ବନ୍ଧୀୟ ଭିଡିଓ ସବୁବେଳେ ଭାଇରାଲ ହେଉଛି। ୟୁରୋପର ଅଧିକାଂଶ ଲୋକ ବେକାରୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି।

ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ପିଏମ ମୋଦୀ ତାଙ୍କ ରିବ୍ରାଣ୍ଡିଂ ପାଇଁ ଜି-୨୦କୁ ବ୍ୟବହାର କରିଛନ୍ତି। ଏହା ଉପରେ ଆରଟିଓ କହିଛି ଯେ, ଜି-୨୦ରେ ବିଶ୍ୱ ସ୍ତରୀୟ ନେତାଙ୍କୁ ଏକାଠି କରି ଭାରତ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଛି। ପିଏମ ମୋଦୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଦେଶକୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି।

Share