ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୪ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇସାରିଲାଣି। ଏହି ସମୟରେ ରୁଷିଆ ଶନିବାର କିଭ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶନିବାର ସକାଳେ କିଭ୍‌ର ନିପ୍ରୋଭସ୍କିରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି।

ଏହି କ୍ଷେପଣାସ୍ତ୍ର ଆକ୍ରମଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଏହା ବହୁ ଦୂରରୁ ଶୁଣିବାକୁ ମିଳିଥିଲା। ଏଥି ସହିତ ରାଜଧାନୀ କିଭ୍‌ରେ ଏୟାର ରେଡ ସାଇରନ ବାଜିବା ପୂର୍ବରୁ ଖବରଦାତାମାନେ ମଧ୍ୟ ଏକ ଜୋରଦାର ଶବ୍ଦ ଶୁଣିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଅନେକ ବିସ୍ଫୋରଣର ଶବ୍ଦ ଶୁଣାଗଲା। ଏଥି ସହିତ ଏହି ଆକ୍ରମଣ ପରେ କର୍ତ୍ତୃପକ୍ଷ ନାଗରିକମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କହିଛନ୍ତି।

ରାଷ୍ଟ୍ରପତି କାର୍ଯ୍ୟାଳୟର ଡେପୁଟି ମୁଖ୍ୟ କିରିଲୋ ଟାଇମୋଶେଙ୍କୋ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି। କ୍ଷେପଣାସ୍ତ୍ର ଆକ୍ରମଣ ଭିତ୍ତିଭୂମି ଉପରେ ପଡ଼ିଛି ବୋଲି କିଭ୍‌ର ସାମରିକ ପ୍ରଶାସନ କହିଛି। ତେବେ କେଉଁ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି ସେ ସ୍ପଷ୍ଟ କରି ନାହାନ୍ତି। ଏହା ସହିତ କିଭ୍‌ର ମେୟର ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

Share