ୟୁକ୍ରେନ୍‌ର ୨ ସହରରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୫ ମୃତ

କିଭ୍‌,୩।୧: ୟୁକ୍ରେନ୍‌ର ଦୁଇଟି ବୃହତ୍‌ ସହର ଉପରେ ମଙ୍ଗଳବାର ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଯୁଦ୍ଧକୁ ଦୁଇବର୍ଷ ପୂରିବାକୁ ଯାଉଥିବାବେଳେ କ୍ରେମ୍‌ଲିନ୍‌ ୟୁକ୍ରେନ୍‌ ସହରାଞ୍ଚଳ ଉପରେ ଆକ୍ରମଣ ବଢ଼ାଇଛି। ରାଜଧାନୀ କିଭ୍‌ରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୯୨ ଜଣ ଆହତ ହୋଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ରୁଷିଆ ସୈନ୍ୟ କିଞ୍ଝାଲ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେହିପରି ଖର୍‌କିଭ୍‌ ସହରରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଜଣେ ପ୍ରାଣ ହରାଇଛନ୍ତି। ରୁଷିଆ ୧୦ଟି ହାଇପରସୋନିକ ମିଶାଇଲ ସମେତ ପ୍ରାୟ ୧୦୦ଟି କ୍ଷେପଣାସ୍ତ୍ର ଛାଡ଼ିଥିଲା। ୧୦ଟି ଯାକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିବା ୟୁକ୍ରେନ୍‌ ସେନାମୁଖ୍ୟ ଭାଲେରି ଜାଲୁଝ୍‌ନି କହିଛନ୍ତି। ଗତ ଶୁକ୍ରବାରଠାରୁ ରୁଷିଆ ଜୋର୍‌ଦାର ଆକ୍ରମଣ ଜାରି ରଖିଥିବାବେଳେ ଏଥିରେ ୪୧ ନାଗରିକଙ୍କ ମୃତ୍ୟୁ ଘଟିଲାଣି।
Share