ୟୁକ୍ରେନ୍‌ର ମାଇକୋଲିଭ ଉପରେ ରୁଷିଆର ମିଶାଇଲ ବର୍ଷା, ଇରାନୀ ଡ୍ରୋନରୁ କ୍ୱିଭ ଉପରେ ଆକ୍ରମଣ

କ୍ୱିଭ,୧୪ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବେଳକୁ ବେଳ ଚିନ୍ତା ବଢିବାରେ ଲାଗିଛି । ଗୁରୁବାର ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ କରିଥିବା ଆକ୍ରମଣକୁ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିନ୍ଦା କରାଯାଉଥିବା ବେଳେ ଅନ୍ୟପଟେ ରୁଷିଆ ସେନା ୟୁକ୍ରେନର ମାଇକୋଲିଭ ସହର ଉପରେ ମିଶାଇଲ ବର୍ଷା କରି ଚାଲିଥାଆନ୍ତି । ରୁଷିଆ ସେନା ଗୁରୁବାର ଭୋର ସମୟରେ ୟୁକ୍ରେନର ରାଜଧାନୀ କ୍ୱିଭର ଆଖପାଖରେ ଇରାନୀ ଡ୍ରୋନ୍ କମିକେଜରୁ ବି ଆକ୍ରମଣ କରିଥିବା ଖବର ମିଳିଛି । କ୍ୱିଭର କ୍ଷେତ୍ରୀୟ ଗଭର୍ନର ଓଲେକ୍ସି କୁଲେବା କହିଛନ୍ତି ଆକ୍ରମଣ କ୍ୱିଭର ଆଖପାଖ ଅଞ୍ଚଳରେ ହୋଇଛି । ହେଲେ ଏଥିରେ କେହି ହତାହତ ହୋଇଛନ୍ତି କି ନା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ସୋମବାର ସମ୍ପୂର୍ଣ୍ଣ ଦେଶରେ ରୁଷିଆ ବଡ ଧରଣର ଆକ୍ରମଣ କରିବା ପରେ ଗୁରୁବାର ଲଗାତାର ଚତୁର୍ଥ ଦିନରେ ସକାଳୁ ଆକାଶ ମାର୍ଗରୁ ଆକ୍ରମଣ କରିବାର ସଙ୍କେତ ଦେଉଥିବା ସାଇରନର ଶବ୍ଦ ଶୁଣିବାକୁ ମିଳିଥିଲା । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ କିରିଲୋ ତିମୋଶେଂକୋ ‘ଟେଲିଗ୍ରାମ’ ଯୋଗେ କହିଛନ୍ତି, କ୍ୱିଭର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିଛି ରୁଷିଆ । ଅନ୍ୟପଟେ ୟୁକ୍ରେନର ଦକ୍ଷିଣ ମୋର୍ଚ୍ଚାରେ ଜାରି ରହିଥିବା ଆକ୍ରମଣ ମଧ୍ୟରେ ମାଇକୋଲିଭ ସହରରେ ସାରାରାତି ଚାଲିଥିବା ଗୁଳି ବିନିମୟରେ ୫ ମହଲା କୋଠା ନଷ୍ଟ ହୋଇଥିବା ଜଣାପଡିଛି । ମେୟର ଆଲେକଜାଣ୍ଡର ସିଏନକୋଭିଚ କହିଛନ୍ତି, କୋଠାର ଉପର ଦୁଇଟି ଯାକ ମହଲା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାପରେ ଅବଶିଷ୍ଟ ଅଂଶ ମାଟିରେ ମିଶିଯାଇଛି । ଏପଟେ ରୁଷିଆ ଦଖଲ କରିନେଇଥିବା ଅଞ୍ଚଳକୁ ଫେରାଇ ଆଣିବାକୁ ୟୁକ୍ରେନ୍ ସେନାବି ଆକ୍ରମଣ ଜାରି ରଖିଛନ୍ତି ।

Share