ମସ୍କୋ,୨୮।୨: ଗୋଟିଏପଟେ ବେଲାରୁଷରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏନେଇ ସୋମବାର ରୁଷିଆର ଏକ ଗଣମାଧ୍ୟମ ଦାବି କରିଛି। ରୁଷିଆର ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ସର୍ଗେଇ ଶୋଏଗୁ ତାଙ୍କ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି। ରୁଷିଆର ଉତ୍ତର ଓ ପ୍ରଶାନ୍ତ ମହାସାଗରର ଷ୍ଟ୍ରାଟେଜିକ୍ ମିଶାଇଲ କମାଣ୍ଡକୁ ମଧ୍ୟ ସତର୍କ ରଖାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି। ଅନ୍ୟପକ୍ଷରେ ରୁଷିଆ ନିଜ ପଡୋଶୀ ଦେଶ ବେଲାରୁଷରେ ପରମାଣୁ ଅସ୍ତ୍ରଶସ୍ତ୍ର ନିୟୋଜିତ କରିପାରେ। ତେଣୁ ବେଲାରୁଷକୁ ୟୁରୋପୀୟ ୟୁନିଅନ ଏକ ସତର୍କ ସୂଚନା ଜାରି କରିଛି। ସେହିପରି ବେଲାରୁଷର ରାଜଧାନୀ ମିନସ୍କରେ ଆମେରିକା ନିଜର ଦୂତାବାସ ବନ୍ଦ କରିଦେଇଥିବା ବେଳେ ରୁଷିଆ ରାଜଧାନୀ ମସ୍କୋରୁ ଆମେରିକା ନିଜର ଅଣ ଜରୁରୀକାଳୀନ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଫେରାଇ ଆଣଥିବା ସୂଚନା ରହିଛି।