ମସ୍କୋ, ୭ା୭: ରୁଷିଆର ଏକ ବିମାନ ଆଣ୍ଟୋନଭ୍ ଏଏନ୍-୨୬ ପେଟ୍ରୋପାଭ୍ଲୋଭସ୍କ-କାମ୍ଚାଟସ୍କାଏରୁ ଉତ୍ତର କାମ୍ଚାଟ୍ସ୍କାଏର ପାଲାନା ଗ୍ରାମ ଅଭିମୁଖେ ଯାଉଥିବାବେଳେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାମ୍ଚାଟ୍କା ଉପଦ୍ୱୀପଠାରେ ସମୁଦ୍ର ମଧ୍ୟରେ ଖସିପଡ଼ିଥିବା କୁହାଯାଉଛି। ଏଥିରେ ୨୨ ଯାତ୍ରୀ ଏବଂ ୬ ଜଣ କ୍ରିଉ ମେମ୍ବର ରହିଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ପାଲାନା ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବାବେଳେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ରୁଷିଆ ଏମଜେନର୍ସି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ଜାହାଜ ମୁତୟନ କରାଯାଇ ବିମାନକୁ ଖୋଜାଚାଲିଛି।