କ୍ଷମା ମାଗିଲେ ପୁଟିନ୍‌

ମସ୍କୋ,୨୮ା୧୨: ବିମାନ ଦୁର୍ଘଟଣା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଶନିବାର ତାଙ୍କ ଆଜରବୈଜାନ ପ୍ରତିପକ୍ଷ ଇଲ୍‌ହାମ ଆଲିୟେଭ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତ ବୁଧବାର ରୁଷିଆ ବାୟୁସୀମାରେ ଆଜରବୈଜାନ୍‌ର ଜେ୨-୮୨୪୩ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଭୁଲ୍‌ବଶତଃ ରୁଷିଆର ବିମାନବିଧ୍ୱଂସୀ ମିଶାଇଲ୍‌ ମାଡ଼ରେ ବିମାନଟି ଖସିପଡ଼ିଥିବା ସାମରିକ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଥିଲେ। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପକ୍ଷରୁ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାବି କରାଯାଇଥିଲା। ବିମାନର ମୁଖ୍ୟଭାଗରେ କେତେକ ଗଭୀର ଛିଦ୍ର ଏବଂ ଟେଲ୍‌ ସେକ୍ସନ୍‌ରେ ଚିହ୍ନ ଥିବାରୁ ମିଶାଇଲର ଧାତବକଣା ମାଡ଼ ଯୋଗୁ ଏହା ହୋଇଥିବା ବିଶେଷଜ୍ଞମାନେ ଅନୁମାନ କରିଥିଲେ।

କାଜାଖସ୍ତାନର ଅକଟାଉ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହି ଦୁଃଖଦ ଘଟଣା ପାଇଁ ପୁଟିନ୍‌ କ୍ଷମା ମାଗିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା କ୍ରେମ୍‌ଲିନ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପୁଟିନ୍‌ କ୍ଷମା ମାଗିବା ଫଳରେ ବିମାନ ଖସାଇବାରେ ରୁଷିଆ ମିଶାଇଲ୍‌ର ସମ୍ପୃକ୍ତି ନେଇ ଯେଉଁ ଅଭିଯୋଗ ହୋଇଥିଲା, ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

Share