ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ୍‌ ମୋଦିଙ୍କ ସହ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହ କୂଟନୈତିକ ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୋଦି କହିଛନ୍ତି। ଏପରିକି ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ସମ୍ମିଳନୀରେ ପରେ ଦୁଇ ନେତା ଶକ୍ତି ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସମୀକ୍ଷା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଜି-୨୦ର ପ୍ରମୁଖ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି ବୋଲି ଶୁକ୍ରବାର ପିଏମ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସାଂଘାଇ ସହଯୋଗ ସଂଗଠନରେ ଭାରତର ଅଧ୍ୟକ୍ଷତା ସମୟରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ ଥିଲେ। ଏନେଇ ପରସ୍ପର ନିୟମିତ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଉଜ୍‌ବେକିସ୍ତାନର ସମରଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍‌ ଏସ୍‌ସିଓ ଶିଖର ସମ୍ମିଳନୀରେ ସାକ୍ଷାତ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ।

Share