ଋଷି ସୁନକ ନିରାଶ

ଲଣ୍ଡନ,୬।୯: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଦୌଡ଼ରେ ପଛରେ ପଡ଼ିଯାଇଥିବା ୪୨ ବର୍ଷୀୟ ରିଚ୍‌ମଣ୍ଡ ଏମ୍‌ପି ଋଷି ସୁନକ ଶେଷ ପର୍ଯ୍ୟାୟ ମତଦାନରେ ଫ୍ରଣ୍ଟରନର୍‌ ଲିଜ୍‌ ଟ୍ରସ୍‌ଙ୍କଠାରୁ ପ୍ରାୟ ୨୧ ହଜାର ଭୋଟରେ ପରାଜିତ ହୋଇଛନ୍ତି। ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ତଥା ଭାରତୀୟ ବଂଶୋଦ୍ଭବ ସୁନକ ବୋରିସ୍‌ ଜନ୍‌ସନ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବାବେଳେ କରୋନା ମହାମାରୀ ସମୟରେ ସଂସ୍କାରମୂଳକ ପଦକ୍ଷେପ ନେଇ ବ୍ରିଟେନବାସୀଙ୍କ ପ୍ରିୟପାତ୍ର ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ବୋରିସ୍‌ଙ୍କ ନେତୃତ୍ୱ ପ୍ରତି ସନ୍ଦେହ ବ୍ୟକ୍ତ କରି ସେ ହିଁ ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ସୃଷ୍ଟି କରିଥିଲେ। ସୁନକଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟିର ଅନେକ ନେତା ଓ ମନ୍ତ୍ରୀ ନିଜ ପଦ ଛାଡ଼ିଥିଲେ। ଜୁଲାଇ ୧୩ରେ ୧୦ ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଶାସକ ଦଳର ୮ ଏମ୍‌ପି ସାମିଲ ଥିଲେ। ସେମାନେ ହେଲେ ଲିଜ୍‌ ଟ୍ରସ୍‌, ଋଷି ସୁନକ, ପେନି ମୋର୍ଡଣ୍ଟ, ନଧିମ୍‌ ଜହାଓ୍ବି, ଟମ୍‌ ଟୁଗେନ୍‌ଧାତ୍‌, ସୁଲେଲା ବ୍ରେଭର୍‌ମ୍ୟାନ, ଜେରେମି ହଣ୍ଟ ଏବଂ କେମି ବେଡେନୋକ୍‌। ବ୍ରିଟେନ୍‌ରେ ବସବାସ କରୁଥିବା ୧.୫ ନିୟୁତ ଭାରତୀୟ ବଂଶୋଦ୍ଭବ ଏବଂ କଞ୍ଜରଭେଟିଭ୍‌ ପାର୍ଟିର ଏକ ବଡ଼ ଗୋଷ୍ଠୀ ତାଙ୍କୁ ସମର୍ଥନ କରିଥିଲେ। ଏସବୁ ସତ୍ତ୍ୱେ ସୁନକଙ୍କ ପରାଜୟ ତାଙ୍କୁ ନିରାଶ କରିଛି।

Share