ପିତା ରୁଷିଆ ସେନା, ପୁଅ ୟୁକ୍ରେନ୍ ସିପାହୀ, ଫାୟରିଂ କମିଲେ ପରସ୍ପରକୁ ପଠାନ୍ତି ଏମିତି ମେସେଜ

ମସ୍କୋ/କ୍ୱିଭ,୧୭ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ଏହି ଯୁଦ୍ଧ ଯେ କେବଳ ଦେଶର ଚିନ୍ତା ବଢାଇ ଥାଏ ତା’ନୁହେଁ ବେଳେ ବେଳେ ଏହି ଯୁଦ୍ଧର ନିଆଁରେ ରକ୍ତର ସମ୍ପର୍କ ବି ଜଳିଯାଇଥାଏ । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ପିତା ରୁଷିଆ ସେନାରେ ଥିବା ବେଳେ ପୁତ୍ର ୟୁକ୍ରେନ୍ ସେନାରେ । ଉଭୟ ପରସ୍ପର ଉପରକୁ ସବୁବେଳେ ବନ୍ଧୁକ ଉଠାଇ ପ୍ରସ୍ତୁତ ରହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ୨୪ରେ ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା , ସେତେବେଳେ ସମସ୍ତ ୟୁକ୍ରେନବାସୀ ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମ୍ପର୍କରେ ଜାଣିବା ପାଇଁ ମୋବାଇଲ ନମ୍ବର ଡାଏଲ କରିବା ଆରମ୍ଭ କରିଥିଲେ । ଏହି ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଆର୍ତୁର ନାମକ ଜଣେ ଯୁବକ ବି ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ଉପରେ ପ୍ରଥମ ଥର ଲାଗି ଏଭଳି ଆକ୍ରମଣ ହୋଇଥିଲା ।
ଯେତେବେଳେ ସମସ୍ତେ ସମସ୍ତଙ୍କ ପ୍ରିୟଜନଙ୍କ ଖବର ନେଉଥିଲେ ସେତେବେଳେ ୨୭ ବର୍ଷୀୟ ଆର୍ତୁର ତାଙ୍କ ପିତା ଓଲେଗଙ୍କ ପାଇଁ ଭିନ୍ନ ଏକ ବାର୍ତ୍ତା ପଠାଇଥିଲେ । ତାଙ୍କ ପିତା ପୂର୍ବ ୟୁକ୍ରେନରେ ରୁଷିଆ ପାଇଁ ଲଢୁଥିବା ବିଚ୍ଛିନ୍ନତାବାଦୀ ସେନାର ଜଣେ କର୍ନେଲ ।
ଏହି ସମୟରେ ଅର୍ତୁର ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଯେଉଁ ମେସେଜ ପଠାଇଥିଲେ ସେଥିରେ ରୁଷିଆକୁ ଗାଳି ଦିଆଯାଇଥିଲା । ଏହାର ଜବାବରେ ତାଙ୍କ ପିତା ଲେଖିଥିଲେ ତୁମେ ବନ୍ଧୁକ ଉଠାଅ ନାହିଁ, କ୍ୱିଭ ଖୁବଶୀଘ୍ର ଭୁଷୁଡିଯିବ ।
ହେଲେ ଅର୍ତୁର ତାଙ୍କ ପିତାଙ୍କ କଥା ନ ଶୁଣି ୟୁକେନ୍‌୍ର ସେନାରେ ସାମିଲ ହେବା ସହ କ୍ୱିଭକୁ ସୁରକ୍ଷା ଦେବାକୁ ଶହ ଶହ ସେନାଙ୍କ ଭଳି ନିଜେ ବି ବନ୍ଧୁକ ଉଠାଇଥିଲେ । ଦ ଗାର୍ଡିୟାନର ରିପୋର୍ଟ ଅନୁଯାୟୀ, ଏହି ପିତା ପୁତ୍ର ଯୁଦ୍ଧ ସାମାନ୍ୟ ଥମିଲେ ପରସ୍ପର ସହ କଥା ହୋଇଥାଆନ୍ତି । ଏମାନେ କଥା ହୋଇଥିବା ଏକ ଭିଡିଓ କଲକୁ ନେଇ ଗାର୍ଡିୟାନ କହିଛି, ଭିଡିଓ କଲରେ ଅର୍ତୁର ତାଙ୍କ ପିତାଙ୍କୁ କହୁଛନ୍ତି ଆମେ ସାମ୍ନାରେ ପରସ୍ପର ବିରୋଧରେ ଲଢୁଛେ । କିନ୍ତୁ ଆମ ମଧ୍ୟରୁ କେହି ଜଣେ ସଠିକ ଉଦ୍ଦେଶ୍ୟ ପାଇଁ ଲଢୁଛୁ ।
ଆଉ ଏକ ମେସେଜରେ ଏମାନେ ଅନ୍ୟକୁ ଭାବୁକ କରିଦେଇଛନ୍ତି । ଉକ୍ତ ମେସେଜରେ ପିତା ଲେଖିଛନ୍ତି, ଅର୍ତୁର ଏବେବି ମୋର ପୁଅ, ମୁଁ ତୁମର ଭଲ ଚାହୁଁଛି, ସବୁବେଳେ ସୁଖି ଓ ସୁସ୍ଥ ରୁହ । ହେଲେ ଅର୍ତୁର କହିଛନ୍ତି କୋର୍ଟ ତାଙ୍କୁ କୌଣସ ଦଣ୍ଡ ଦେବା ଦରକାର ।
ଅନ୍ୟପଟେ ଅର୍ତୁର ତାଙ୍କର ଏକ ବାର୍ତ୍ତାରେ ଲେଖିଛନ୍ତି, ‘ମୁଁ ତାଙ୍କୁ ତାଙ୍କ ବିଜୟ ଏବଂ ତାଙ୍କର ମୃତ୍ୟୁ ଜଗତର ସାକ୍ଷୀ ହେବାକୁ ଦେଖିବାକୁ ଚାହେଁ । ମୋ ପିତା ପରିବାର ଓ ଦେଶପ୍ରତି ବିଶ୍ୱାସଘାତକତା କରିଛନ୍ତି ମୁଁ ମୋ ଦେଶ ପାଇଁ ଲଢୁଛି ।

Share