ୟୁକ୍ରେନ୍‌ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…

ମସ୍କୋ/କ୍ୱିଭ୍‌, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହେବାରେ ଲାଗିଛି। ନିକଟରେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛି ଯେ ଏହା କିଛି ମାସ ଧରି ରୁଷିଆର ସୈନ୍ୟଙ୍କ ଦ୍ୱାରା ଦଖଲ ହୋଇଥିବା ଇଜିୟମ ସହରକୁ ନିୟନ୍ତ୍ରଣ କରିଛି। ବର୍ତ୍ତମାନ ରିପୋର୍ଟ ପ୍ରକାଶ ପାଇଛି ଯେ ରୁଷିଆ ସୈନ୍ୟ ୟୁକ୍ରେନର ବହୁ ଅଞ୍ଚଳରେ ବୋମାମାଡ଼ କରିଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଆଧାରରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି, ୟୁକ୍ରେନର ଅନେକ ବେସ ଉପରେ ଆକ୍ରମଣ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମୟରେ ଏଭଳି ଘଟିଛି।

ଅପରପକ୍ଷରେ ୟୁକ୍ରେନ ଯୁଦ୍ଧରେ ରାସାୟନିକ କିମ୍ବା ଆଣବିକ ଅସ୍ତ୍ର ବ୍ୟବହାର ନକରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି। ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବାଇଡେନ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏଭଳି କାର୍ଯ୍ୟ ହୋଇ ନାହିଁ। ଏହା କରିବା ଦ୍ୱାରା ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ରହିଛି।

Share