Categories: ଜାତୀୟ

୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କୁ ଦିଆଯିବ ରୁଷିଆ ଟିକା

ନୂଆଦିଲ୍ଲୀ, ୨୩।୧୦: ଭାରତରେ କରୋନା ଭାଇରସର ଆଉ ଏକ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ମାସରେ ରୁଷିଆର ସ୍ପୁଟନିକ ଭି ଟିକା ପରୀକ୍ଷା ପାଇଁ ଇଣ୍ଡିଆନ ମେଡିସିନ ଜେନେରାଲ କଣ୍ଟ୍ରୋଲର୍‌(ଡିସିଜିଆଇ) ଅନୁମତି ଦେଇଛି। ଭାରତରେ ୧୦୦ ସ୍ବେଚ୍ଛାସେବୀଙ୍କୁ ପରୀକ୍ଷା ପାଇଁ ଟିକା ଦିଆଯିବ। ପରୀକ୍ଷା ପରିଚାଳନା ପାଇଁ ଫାର୍ମାସ୍ୟୁଟିକାଲ କମ୍ପାନୀ ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀକୁ ଡିସିଜିଆଇ ଅନୁମତି ଦେଇଛି। ତେବେ ପରୀକ୍ଷା ତାରିଖ ଏବଂ ସମୟ କମ୍ପାନୀ ଦ୍ୱାରା ସ୍ଥିର କରାଯିବ।
ସ୍ପୁଟନିକ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଟୀକାକରଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଦୁଇଟି କ୍ଲିନିକାଲ ପରୀକ୍ଷା କରାଯିବ। ଗତ ସପ୍ତାହରେ ଡିସିଜିଆଇର ବିଶେଷଜ୍ଞ କମିଟି ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀକୁ ଅନୁମତି ପାଇଁ ସୁପାରିଶ କରିଥିଲେ। ଡା ରେଡ୍ଡୀ ଲ୍ୟାପ୍‌ ପକ୍ଷରୁ କୁହାଯାଇଛି ଯେ, ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲ ପରୀକ୍ଷଣରେ ୧୦୦ ସ୍ବେଚ୍ଛାସେବୀଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଏହି ସଂଖ୍ୟା ୧୪୦୦ ହୋଇପାରେ। ତା’ପରେ ଫାର୍ମା କମ୍ପାନୀ ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଏବଂ ଇମ୍ୟୁନୋଜେନିଟି ତଥ୍ୟ ଉପସ୍ଥାପନ କରିବ, ଏହାକୁ ବିଶେଷଜ୍ଞମାନେ ବିଶ୍ଳେଷଣ କରିବେ ଏବଂ ସେମାନେ ତୃତୀୟ ଜଟିଳ ପର୍ଯ୍ୟାୟକୁ ଯାଇପାରିବେ। ସୂଚନାଯୋଗ୍ୟ, ସ୍ପୁଟନିକ ଭି ଟିକାର କ୍ଲିନିକାଲ ପରୀକ୍ଷା ଏବଂ ଏହାର ବଣ୍ଟନ ପାଇଁ ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହିତ ଡକ୍ଟର ରେଡ୍ଡୀଙ୍କ ଲ୍ୟାବ ଅଫ ଇଣ୍ଡିଆ ସହଭାଗୀ ହୋଇଛି।

Share