ସ୍ବିଡେନ ଉପକୂଳରେ ରୁଷିଆର ଗୁପ୍ତଚର ତିମି…

ଷ୍ଟକହୋମ,୩୧।୫ : ନରୱେ ପରେ ସ୍ବିଡେନ ଉପକୂଳରେ ଗୁପ୍ତଚର ତିମି ହ୍ବାଲଡିମିର୍‌ (ବେଲୁଗା) ଦେଖିବାକୁ ମିଳିଛି। ରୁଷିଆର ନୌସେନା ଦ୍ୱାରା ଗୁପ୍ତଚର ଭାବରେ ତାଲିମ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଏଭଳି ତିମି ୨୦୧୯ ରେ ନରୱେରେ ଦେଖାଯାଇଥିଲା ।

ସୂଚନା ଅନୁଯାୟୀ, ଏହା ପ୍ରଥମେ ନରୱେର ଫିନମାର୍କର ଦୂର ଉତ୍ତର ଅଞ୍ଚଳରେ ଆବିଷ୍କୃତ ହୋଇଥିଲା। ରବିବାର ସ୍ବିଡେନର ଦକ୍ଷିଣ-ପଶ୍ଚିମ ଉପକୂଳରେ ବେଲୁଗା ତିମିମାନେ ହେଭେନବୋଷ୍ଟ୍ରାଣ୍ଡରେ ନଜର ଆସିଥିଲେ। ୟୁରୋପୀୟ ଦେଶ ନରୱେ ଏହାର ନାଗରିକମାନଙ୍କୁ ଏହି ରୁଷିଆର ଗୁପ୍ତଚର ତିମିଙ୍କଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛି। ତେବେ ତିମି ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଉପରେ ରୁଷିଆ କୌଣସି ଆନୁଷ୍ଠାନିକ ଭାବେ ପ୍ରତିକ୍ରିୟା ଦେଇ ନାହିଁ।

ପ୍ରାଣୀବିଜ୍ଞାନୀ ଜର୍ଜେନ ରେ-ୱିଗ କହିଛନ୍ତି, ଏହା ସ୍ବତନ୍ତ୍ର ଭାବେ ତାଲିମ ପ୍ରାପ୍ତ ହୋଇଥିବାର ଦେଖାଯାଉଛି। ଏହାର ଶରୀରରେ ମିଳୁଥିବା ଜିନିଷରୁ ଏହା ଜଣାପଡୁଛି ଏହାକୁ ରୁଷିଆର ନୌସେନା ଦ୍ୱାରା ତାଲିମ ଦିଆଯାଇଛି। ଓ୍ବିଗ କହିଛନ୍ତି ରୁଷିଆର ସେନା ଏହି ତିମିକୁ ଏକ ନିର୍ଦ୍ଦିଷ୍ଟ ଅପରେଶନ ପାଇଁ ତାଲିମ ଦେଇଛି।

Share