ଜେଲେନ୍‌ସ୍କିଙ୍କ ସହରରେ ମିଶାଇଲ ମାଡ଼: ୧୧ ନିହତ

କିଭ୍‌,୧୪ା୬: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହର କ୍ରିଭି ରିହରେ ସୋମବାର ରାତିରେ ରୁଷୀୟ ସୈନ୍ୟ ତୁହାକୁ ତୁହା ମିଶାଇଲ ଆକ୍ରମଣ କରିଛନ୍ତି। କ୍ଷେପଣାସ୍ତ୍ର ମାଡ଼ରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୮ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ କେତେଜଣ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେଶନ୍‌ ଜାରି ରହିଥିବା କ୍ରିଭି ରିହ ମେୟର ଓଲେକ୍‌ସାଣ୍ଡାର ଭିଲକୁଲ କହିଛନ୍ତି।
୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବା ପରଠୁ ୟୁକ୍ରେନୀୟ ସୁରକ୍ଷା ବଳ ପାଶ୍ଚାତ୍ୟରୁ ମିଳିଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଅନେକ ଅଞ୍ଚଳକୁ ପୁନଃ ଦଖଲ ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ କ୍ରିଭି ରିହକୁ ରୁଷିଆର ଟାଗେର୍ଟକୁ ଜେଲେନ୍‌ସ୍କି ଆତଙ୍କବାଦୀ ଆକ୍ରମଣ ଭାବେ ଅଭିହିତ କରିଛନ୍ତି। ରୁଷୀୟ ହତ୍ୟାକାରୀମାନେ ଆକାଶମାର୍ଗରୁ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ କରିଥିବା ସେ କହିଛନ୍ତି। ଇତିମଧ୍ୟରେ ୟୁକ୍ରେନ୍‌ ସୈନ୍ୟ ଡୋନେସ୍କ ଅଞ୍ଚଳର ବାଖ୍‌ମୁଟ୍‌ ସହର ବାହାରେ ଅଗ୍ରସର ହୋଇ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପୁଟିନ୍‌ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କିଭ୍‌କୁ ଯୋଗାଇଦେଇଥିବା ସାମରିକ ଯାନଗୁଡ଼ିକ ମଧ୍ୟରୁ ୨୫ରୁ ୩୦% ଯୁଦ୍ଧରେ ନଷ୍ଟ ହୋଇସାରିଲାଣି। ଗତ ସପ୍ତାହରେ ନୋଭା କାଖୋଭ୍‌କା ଡ୍ୟାମ୍‌ ଭୁଶୁଡ଼ିବା ପଛରେ କିଭ୍‌ର ହାତ ରହିଛି। ଆମେରିକା ନିର୍ମିତ ହିମାର୍ସ ମିଶାଇଲ ସିଷ୍ଟମ୍‌ ଜରିଆରେ ୟୁକ୍ରେନୀୟ ସୈନ୍ୟ ଏହାକୁ ଧ୍ୱସ୍ତବିଧ୍ୱସ୍ତ କରିଛନ୍ତି।

Share