ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରୁ ହଟିଲେ ରୁଷୀୟ ସୈନ୍ୟ

କ୍ୱିଭ୍‌,୩୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୩୬ ଦିନରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ହ୍ରାସ ପାଇନାହିଁ। କିନ୍ତୁ ୟୁକ୍ରେନର ଦୁଇଟି ସହର ଉପରେ ଆକ୍ରମଣ ହ୍ରାସ କରିବ ବୋଲି ରୁଷିଆ ଘୋଷଣା କରିଛି। ଇତିମଧ୍ୟରେ ଚେର୍ନୋବିଲ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରୁ ରୁଷୀୟ ସୈନ୍ୟ ବାହାରକୁ ବାହାରିବା ଆରମ୍ଭ କରିଦେଇଛନ୍ତି ବୋଲି ୟୁକ୍ରେନ ସହ ଆମେରିକା ମଧ୍ୟ ଦାବି କରିଛି। ସୂଚନା ମୁତାବକ ଫେବୃଆରୀ ୨୪ରେ ରୁଷିଆ ସୈନ୍ୟମାନେ ଚେର୍ନୋବିଲ ନ୍ୟୁକ୍ଲିଅର ପ୍ଲାଣ୍ଟକୁ କବ୍‌ଜା କରିଥିଲେ। ଯେଉଁଠାରୁ ଏବେ ସୈନ୍ୟମାନେ ହଟିବା ଆରମ୍ଭ କରିଦେଇଛନ୍ତି ବୋଲି ବୁଧବାର ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ସୈନ୍ୟମାନେ ଚେର୍ନୋବିଲରୁ ଦୂରେଇ ଯାଇ ବେଲାରୁଷରେ ପ୍ରବେଶ କରିଛନ୍ତି। କିନ୍ତୁ ସମସ୍ତ ସୈନ୍ୟ ଚାଲିଯାଇଛନ୍ତି କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନାହିଁ ବୋଲି ଉକ୍ତ ଅଧିକାରୀ କହିଛନ୍ତି।

Share