ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍‌ ହେବ ଦୁଇଭାଗ !…

ମସ୍କୋ/କ୍ୱିଭ୍‌, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍‌ ଦଖଲ କରିବାରେ ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଦଖଲ କରିବାକୁ ପ୍ରସ୍ତୁତି ଚଳାଇଛି। ରୁଷିଆର ନଜର ଡୋନବାସର ପ୍ରାକୃତିକ ଭଣ୍ଡାର ଉପରେ ଅଛି।

ରୁଷିଆର ସୈନ୍ୟବାହିନୀ ଖାର୍କିଭ ଏବଂ କ୍ରାମାଟର୍ସ୍କର ପୂର୍ବ ସହର ଉପରେ ପ୍ରବଳ ଆକ୍ରମଣ କରିଛନ୍ତି। ଡୋନବାସର ପଶ୍ଚିମ ଜାପୋରିଜିଆ ଏବଂ ନିପ୍ରୋରେ ରୁଷିଆ ସୈନ୍ୟ କ୍ଷେପଣାସ୍ତ୍ର ପକାଇଛନ୍ତି। ଦକ୍ଷିଣ ମାଇକୋଲାଇଭ ସହରରେ ବୁଧବାର ସକାଳେ ଏକାଧିକ କ୍ଷେପଣାସ୍ତ୍ର ମାଡ ହୋଇଛି। ବସ୍ତଙ୍କା ସହରର ଏକ ଡାକ୍ତରଖାନା ନିକଟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି।

ଯଦି ରୁଷିଆ ଡୋନବାସକୁ ଦଖଲ କରିବାରେ ସଫଳ ହୁଏ, ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବ ୟୁକ୍ରେନ ଅଲଗା ହୋଇଯିବ। ଏହି କ୍ଷେତ୍ର ୟୁକ୍ରେନ ପାଇଁ ଏକ ପ୍ରମୁଖ ଆୟର ଉତ୍ସ। ଏହି କ୍ଷେତ୍ରରେ ୟୁକ୍ରେନର ବୃହତ କୋଇଲା ଖଣି ଅଛି ଏବଂ ଏହା ଦେଶର ଶିଳ୍ପ କେନ୍ଦ୍ର । ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଇରୋଭ କହିଛନ୍ତି ଯେ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ସେ କହିଛନ୍ତି ଅପରେଶନ ଚାଲିଛି ଏବଂ ବର୍ତ୍ତମାନ ଏହି ଅପରେଶନର ଆଉ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଡୋନେଟସ୍କ ଏବଂ ଲୁହାନସ୍କ ଗଣତନ୍ତ୍ରର ସମ୍ପୂର୍ଣ୍ଣ ସ୍ବାଧୀନତା।

ପୂର୍ବ ୟୁକ୍ରେନକୁ ଦଖଲ କରିବା ପାଇଁ ରୁଷିଆ ଆକ୍ରମଣକୁ ତୀବ୍ର କରିଛି। ଏବେ ରୁଷିଆ ସୈନ୍ୟ ଡୋନବାସ ମୁହାଁ ହେବାରେ ଲାଗିଛନ୍ତି।

Share