ରୁଷିଆର ପରମାଣୁ ଆକ୍ରମଣ ସାମର୍ଥ୍ୟ

ଗତ ଫେବୃୟାରୀ ୨୪ଠାରୁ ରୁଷିଆ ୟୁକ୍ରେନ୍‌ ବିପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରିଛି। ରୁଷିଆର କ୍ରମାଗତ କ୍ଷେପଣାସ୍ତ୍ର ଓ ବୋମା ମାଡ଼ରେ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହି ଯୁଦ୍ଧରେ ପ୍ରତିଦିନ ଉଭୟ ରୁଷିଆ ଓ ୟୁକ୍ରେନ୍‌ ପକ୍ଷରୁ ଶହ ଶହ ସୈନିକ ମୃତ୍ୟୁବରଣ କରୁଛନ୍ତି। ଏଥିରେ ବହୁ ନିରୀହ ନାଗରିକ ଓ ଶିଶୁ ମଧ୍ୟ ପ୍ରାଣ ହରାଉଛନ୍ତି। ରୁଷିଆ ୟୁକ୍ରେନ୍‌ର ଚେର୍ନୋବିଲ ସହରକୁ ଦଖଲ କରିବା ପରେ ସମଗ୍ର ୟୁକ୍ରେନ୍‌କୁ ନିଜ ଦଖଲକୁ ନେବାକୁ ପ୍ରୟାସ କରୁଛି। ତେଣୁ ତାହା ୟୁକ୍ରେନ୍‌ର ରାଜଧାନୀ କ୍ୱିଭ୍‌ ଓ ବାଣିଜି୍ୟକ କେନ୍ଦ୍ର ଖାର୍କିଭ ଉପରେ ଭୟଙ୍କର ଆକ୍ରମଣ କରୁଛି। ରୁଷିଆର ପ୍ରଚଣ୍ଡ ଆକ୍ରମଣରେ ମାତ୍ର ୫ ଦିନ ମଧ୍ୟରେ ୟୁକ୍ରେନ୍‌ ଆତ୍ମସମର୍ପଣ କରିବ ବୋଲି ରୁଷିଆ ଭାବିଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ନାଟୋ ଓ ୟୁରୋପୀୟ ସଂଘ ୟୁକ୍ରେନ୍‌କୁ ବିପୁଳ ଯୁଦ୍ଧାସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଇ ଦେଉଥିବାରୁ ୟୁକ୍ରେନ୍‌ ସେନା ଶକ୍ତିଶାଳୀ ରୁଷିଆ ସେନାର ଦୃଢ଼ ମୁକାବିଲା କରିବାକୁ ସମର୍ଥ ହେଉଛି। ଏହା ଫଳରେ ରୁଷିଆର ୟୁକ୍ରେନ୍‌ ଦଖଲ ସ୍ବପ୍ନ କ୍ରମଶଃ ବିଳମ୍ବିତ ହେବାରେ ଲାଗିଛି। ନାଟୋ ଓ ୟୁରୋପୀୟ ସଂଘର ସହାୟତାରେ ବିଚଳିତ ହୋଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସେ ମଧ୍ୟ ସେନା ମୁଖ୍ୟଙ୍କୁ ପରମାଣୁ ଅସ୍ତ୍ର ପରିଚାଳନା ବାହିନୀକୁ ହାଇ ଆଲର୍ଟ ମୋଡ଼ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଯୋଗୁ ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଫଳରେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ ଅପ୍ରତ୍ୟାଶିତ ଭାବରେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହଁାଇବାକୁ ଲାଗିଛି। ଏହା ପୂର୍ବରୁ ୨୦୧୪ରେ ରୁଷିଆ କ୍ରିମିଆ ଉପରେ ଆକ୍ରମଣ କରିଥିବାବେଳେ ମଧ୍ୟ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଧମକ ଦେଇଥିଲା।
ପ୍ରଥମେ ୧୯୪୨ ଅଗଷ୍ଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ମାନହଟନ ପ୍ରକଳ୍ପରେ ପରମାଣୁ ବୋମା ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଆମେରିକାର ବିଶିଷ୍ଟ ପଦାର୍ଥବିଜ୍ଞାନୀ ରବର୍ଟ ଓପନହିମର ଥିଲେ ଏହି ପ୍ରକଳ୍ପର ମୁଖ୍ୟ। ଏହାର ଫଳ ସ୍ବରୂପ ୧୯୪୫ ଜୁଲାଇ ୧୬ରେ ଆମେରିକା ଟ୍ରିନିଟୀ ନାମରେ ୨୦ କିଲୋଟନ ଟିଏନ୍‌ଟିର ଏକ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବାରୁ ଆମେରିକାର ରାଷ୍ଟ୍ରପତି ଟ୍ରୁମାନ ଏହାକୁ ଜାପାନ ଉପରେ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ବର୍ଷ ଅଗଷ୍ଟ ୬ ସକାଳ ୮ଟା ୧୫ମିନିଟରେ ଆମେରିକା ଜାପାନର ହିରୋଶିମା ସହରରେ ଲିଟିଲ ବୟ ନାମରେ ଏକ ପରମାଣୁ ବୋମା ନିକ୍ଷେପ କରିଥିଲା। ଏହାର ମାତ୍ର କେତେ ସେକେଣ୍ଡ ମଧ୍ୟରେ ସମଗ୍ର ସହରଟି ଏକ ଧ୍ୱଂସ ସ୍ତୂପରେ ପରିଣତ ହୋଇଥିଲା। ତତ୍‌କ୍ଷଣାତ୍‌ ଏଥିରେ ୭୦,୦୦୦ ଲୋକ ମୃତ୍ୟୁବରଣ କରିଥିଲେ। ଲିଟିଲ ବୟ ପରମାଣୁ ବୋମାର ଲମ୍ବ ମାତ୍ର ୩ ମିଟର ଓ ବ୍ୟାସ ୭୧ ସେ.ମି. ରହିଥିବା ବେଳେ ଓଜନ ଥିଲା ୪.୪ ଟନ୍‌। ଏହାର କ୍ଷମତା ଥିଲା ୧୮ କିଲୋଟନ ଟିଏନ୍‌ଟି। ଏହାର ତିନିଦିନ ପରେ ଆମେରିକା ଜାପାନର ନାଗାସାକୀ ସହର ଉପରେ ଫ୍ୟାଟମ୍ୟାନ ନାମରେ ଆଉ ଗୋଟିଏ ପରମାଣୁ ବୋମା ନିକ୍ଷେପ କରିଥିଲା। ସେତେବେଳେ ସେଥିରେ ୪୦ ହଜାର ନିରୀହ ଲୋକ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ କାଳରେ ପରମାଣୁ ବିସ୍ଫୋରଣଜନିତ ତେଜସ୍କ୍ରିୟ ବିକିରଣ ପ୍ରଭାବ ହେତୁ ଉଭୟ ସହରରୁ ୨ ଲକ୍ଷ ଲୋକ ବିଭିନ୍ନ ମାରାତ୍ମକ ରୋଗରେ ମୃତ୍ୟୁବରଣ କରିଥିଲେ। ଏହା ପରେ ପରମାଣୁ ବୋମାର ଭୟାବହତା ସମ୍ପର୍କରେ ମାନବ ଜାତି ଅବଗତ ହେଲା। ପରମାଣୁ ବୋମା କିପରି ସମଗ୍ର ପୃଥିବୀକୁ ଧ୍ୱଂସ ମୁଖକୁ ଠେଲି ଦେଇପାରେ ତାହା ଆଉ ଅଛପା ରହିଲା ନାହିଁ। ଏପରିକି ପରମାଣୁ ବୋମାର ଜନକ ରବର୍ଟ ଓପନହିମର ଏହାର ବିନାଶକାରୀ ପ୍ରଭାବରେ ଚକିତ ହେବା ସହିତ ହିନ୍ଦୁମାନଙ୍କ ପବିତ୍ର ଗ୍ରନ୍ଥ ଭଗବଦ୍‌ ଗୀତାର ଉକ୍ତିକୁ ଉଲ୍ଲେଖ କରି କହିଥିଲେ, ଏବେ ମୁଁ ମୃତ୍ୟୁ ଓ ପୃଥିବୀର ବିନାଶକ। ମାତ୍ର ବିଶ୍ୱର ତଥାକଥିତ ଦୁଇ ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ଶୀତଳ ଯୁଦ୍ଧରେ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରି ଏହି ବିଧ୍ୱଂସକାରୀ ଅସ୍ତ୍ରର ନିର୍ମାଣ କରିଚାଲିଲେ।
ହିରୋଶିମା ଓ ନାଗାସାକୀରେ ପରମାଣୁ ବିସ୍ଫୋରଣ ପରେ ସୋଭିଏଟ୍‌ ରୁଷ୍‌ର ରାଷ୍ଟ୍ରପତି ଯୋଶେଫ ଷ୍ଟାଲିନ ୫ବର୍ଷ ମଧ୍ୟରେ ପରମାଣୁ ବୋମା ବିକାଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ୧୯୪୯ ଅଗଷ୍ଟ ୨୯ରେ ରୁଷିଆ ପ୍ରଥମ ପରମାଣୁ ବୋମା ପରୀକ୍ଷଣ କରିଥିଲା। ଯୁବ ପରମାଣୁ ବିଜ୍ଞାନୀ ଇଗୋର କୁର୍ଚାଟୋଭ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ। ଜୋଏ-୧ ନାମରେ ଏହି ବୋମାକୁ ରୁଷିଆ କାଜାଖସ୍ଥାନର ଷ୍ଟେପୀରେ ପରୀକ୍ଷଣ କରିଥିଲା। କେବଳ ୧୯୬୨ରେ ରୁଷିଆ ୭୯ଟି ପରମାଣୁ ପରୀକ୍ଷଣ କରିଥିଲା। ରୁଷିଆ ୧୯୯୦ ଅକ୍ଟୋବର ୨୪ରେ ଶେଷ ଥର ପାଇଁ ପରମାଣୁ ବୋମା ପରୀକ୍ଷଣ କରିଥିଲା। ୧୯୪୯ରୁ ୧୯୯୦ ମଧ୍ୟରେ ଏହା ସର୍ବମୋଟ ୭୧୫ଟି ପରୀକ୍ଷଣ କରିଥିଲା। ୧୯୮୬ ବେଳକୁ ସମଗ୍ର ପୃଥିବୀରେ ସମୁଦାୟ ୭୦ ହଜାର ପରମାଣୁ ବୋମା ନିର୍ମିତ ହୋଇଥିବାବେଳେ ସୋଭିଏଟ୍‌ ସଂଘ ନିକଟରେ ସର୍ବାଧିକ ୪୫୦୦୦ ପରମାଣୁ ବୋମା ଗଚ୍ଛିତ ରହିଥିଲା।
ପରବର୍ତ୍ତୀ କାଳରେ ପୃଥିବୀରେ ଗଚ୍ଛିତ ଥିବା ଅନେକ ପରମାଣୁ ବୋମାକୁ ନିଷ୍କ୍ରିୟ କରି ଦିଆଯାଇଛି। ସେଥିରେ ରହିଥିବା ୟୁରାନିୟମକୁ ପରମାଣୁ ଶକ୍ତି କେନ୍ଦ୍ରରେ ବ୍ୟବହାର କରି ଶକ୍ତି ଉପତ୍ାଦନ କରାଯାଉଛି। ଏବେ ସମଗ୍ର ପୃଥିବୀର ୯ଗୋଟି ଦେଶ ନିକଟରେ ୧୩,୧୩୨ଟି ପରମାଣୁ ବୋମା ରହିଛି। ଏହା ମଧ୍ୟରୁ ରୁଷିଆ ନିକଟରେ ସର୍ବାଧିକ ୬,୨୫୭ଟି ପରମାଣୁ ବୋମା ରହିଛି। ଅନ୍ୟ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଆମେରିକା ନିକଟରେ ୫,୫୦୦, ଚାଇନା ପାଖରେ ୩୫୦, ଫ୍ରାନ୍‌ସ ନିକଟରେ ୨୯୦ ଓ ଯୁକ୍ତରାଜ୍ୟ ନିକଟରେ ୨୨୫ଟି ପରମାଣୁ ବୋମା ରହିଛି। ଏହା ବ୍ୟତୀତ ଭାରତରେ ୧୫୬, ପାକିସ୍ତାନରେ ୧୬୫, ଇସ୍ରାଏଲରେ ୯୦ ଓ ଉତ୍ତର କୋରିଆରେ ୫୦ ପରମାଣୁ ବୋମା ରହିଥିବାର ସୂଚନା ମିଳିଛି। ବିଶ୍ୱ ସମୁଦାୟ ସାଉଦୀ ଆରବ, ଦକ୍ଷିଣ କୋରିଆ, ଇରାନ ଓ ତାଇୱାନ ମଧ୍ୟ ଗୋପନରେ ପରମାଣୁ ବୋମା ପ୍ରସ୍ତୁତ କରିଥିବାର ସନ୍ଦେହ କରୁଛନ୍ତି।
୧୯୭୦ଠାରୁ କାର୍ଯ୍ୟକାରୀ ହୋଇଥିବା ପରମାଣୁ ଅସ୍ତ୍ର ଅପ୍ରସାର ଚୁକ୍ତିରେ ସୋଭିଏଟ୍‌ ରୁଷ୍‌ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଚାଇନାକୁ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ରୂପେ ଘୋଷଣା କରାଯାଇଛି। ଏହି ଚୁକ୍ତିରେ ପୃଥିବୀର ୧୯୧ଟି ରାଷ୍ଟ୍ର ସ୍ବାକ୍ଷର କରିଛନ୍ତି। ତେବେ ଭାରତ, ପାକିସ୍ତାନ, ଇସ୍ରାଏଲ, ଉତ୍ତର କୋରିଆ ଓ ଦକ୍ଷିଣ ସୁଦାନ ଏଥିରେ ସ୍ବାକ୍ଷର କରି ନାହାନ୍ତି। ୧୯୯୧ରେ ସୋଭିଏଟ୍‌ ସଂଘର ବିଲୟ ପରେ ସୋଭିଏଟ୍‌ ରୁଷ୍‌ ନିକଟରେ ଗଚ୍ଛିତ ସମସ୍ତ ପରମାଣୁ ଅସ୍ତ୍ରକୁ ଼ରୁଷିଆ, ୟୁକ୍ରେନ୍‌, ବେଲାରୁଷ, କାଜାଖସ୍ଥାନ ମଧ୍ୟରେ ଭାଗ କରିଦିଆ ଯାଇଥିଲା। ସେତେବେଳେ ପରମାଣୁ ଅସ୍ତ୍ରରେ ୟୁକ୍ରେନ୍‌ ପୃଥିବୀରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ପରବର୍ତ୍ତୀ କାଳରେ ୟୁକ୍ରେନ୍‌, ବେଲାରୁଷ ଓ କାଜାଖସ୍ଥାନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣରୁ ଓହରି ଯାଇ ପରମାଣୁ ଅପ୍ରସାର ଚୁକ୍ତିରେ ସ୍ବାକ୍ଷର କରିବା ସହିତ ରୁଷିଆକୁ ସମସ୍ତ ପରମାଣୁ ଅସ୍ତ୍ର ହସ୍ତାନ୍ତର କରିଥିଲେ ଏବଂ ସୋଭିଏଟ୍‌ ରୁଷ୍‌ ବଦଳରେ ରୁଷିଆକୁ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରାଯାଇଥିଲା। ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ରୁଷିଆର ପରମାଣୁ ଆକ୍ରମଣ ଧମକ ହେତୁ ୟୁକ୍ରେନ୍‌ ସେଥିପାଇଁ ପଶ୍ଚାତାପ କରୁଛି।
ଏବେ ରୁଷିଆ ନିକଟରେ ଗଚ୍ଛିତ ପରମାଣୁ ଅସ୍ତ୍ର ମଧ୍ୟରୁ ପ୍ରାୟ ୧୫୦୦ ପରମାଣୁ ବୋମାକୁ ନିଷ୍କ୍ରିୟ କରାଯିବାର ଯୋଜନା ରହିଛି। ଅବଶିଷ୍ଟ ୪୫୦୦ ସକ୍ରିୟ ପରମାଣୁ ବୋମା ମଧ୍ୟରୁ ୧୫୪୪ ପରମାଣୁ ବୋମାକୁ ବିଭିନ୍ନ ଆନ୍ତଃ ମହାଦେଶୀୟ କ୍ଷେପଣାସ୍ତ୍ର, ପରମାଣୁ ଚାଳିତ ବୁଡ଼ାଜାହାଜ ଓ ବୋମାବର୍ଷୀ ବିମାନରେ ଖଞ୍ଜାଯାଇଛି। ଚାହିଁବା ମାତ୍ରେ ସେଗୁଡ଼ିକୁ ବ୍ୟବହାର କାରଯାଇପାରିବ। ଏହା ବ୍ୟତୀତ ୧୯୬୧ ଅକ୍ଟୋବରରେ ପରୀକ୍ଷଣ କରାଯାଇଥିବା ସାର୍‌ ନାମରେ ସର୍ବବୃହତ୍‌ ପରମାଣୁ ବୋମା ମଧ୍ୟ ରୁଷିଆ ନିକଟରେ ରହିଛି। ଏହାର କ୍ଷମତା ୫୦ ମେଗାଟନ୍‌ ଟିଏନ୍‌ଟି। ଅର୍ଥାତ୍‌ ଏହା ହିରୋଶିମାରେ ନିକ୍ଷେପ କରାଯାଇଥିବା ଲିଟିଲ ବୟ ତୁଳନାରେ ୪୦୦୦ ଗୁଣ ଅଧିକ ଧ୍ୱଂସକାରୀ। ଏହି ବିଶାଳ ପରମାଣୁ ବୋମାର ଦୈର୍ଘ୍ୟ ୮ ମିଟର ରହିଥିବା ବେଳେ ବ୍ୟାସ ୨.୬ ମିଟର ଓ ଓଜନ ୨୭ ଟନ୍‌ ରହିଛି। ଅତଏବ ରୁଷିଆ ନିକଟରେ ଗଚ୍ଛିତ ପରମାଣୁ ବୋମା କେବଳ ୟୁକ୍ରେନ୍‌ କାହିଁକି ସମଗ୍ର ବିଶ୍ୱକୁ ଧ୍ୱଂସ କରିବା ପାଇଁ ଯଥେଷ୍ଟ ହେବ। ତେଣୁ ରୁଷିଆ ପରମାଣୁ ଆକ୍ରମଣ କରି ସମଗ୍ର ପୃଥିବୀକୁ ଧ୍ୱଂସମୁଖକୁ ଠେଲିଦେବା ଅପେକ୍ଷା ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟାକରିବା ଉଚିତ। ବିଶ୍ୱ ସମୁଦାୟ ଏଥିନେଇ ରୁଷିଆ ଉପରେ କୂଟନୈତିକ ଚାପ ପ୍ରୟୋଗ କରିବା ଉଚିତ।

ହିମାଂଶୁ ଶେଖର ଫତେସିଂହ

ବାଲିଗାଡ଼ିଆ, ଜଙ୍କିଆ, ଖୋର୍ଦ୍ଧା
ମୋ- ୭୦୦୮୬୬୨୩୪୧


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri