Categories: ଖେଳ

ସଚିନଙ୍କ ସମକକ୍ଷ ହେଲେ ଋତୁରାଜ

ପୁଣେ,୨।୫ : ଆଇପିଏଲ୍‌ ଇତିହାସରେ ଦ୍ରୁତତମ ବ୍ୟାଟର ଭାବେ ୧ ହଜାର ରନ୍‌ ପୂରଣ କରିବାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓପନର ଋତୁରାଜ ଗାଏକ୍ୱାଡ ରବିବାର କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ୫୭ ବଲରେ ୯୯ ରନ୍‌ର ପାଳି ଅବସରରେ ଗାଏକ୍ୱାଡ ଏହି ସଫଳତା ପାଇଛନ୍ତି। ତାଙ୍କ ଇନିଂସରେ ୬ ଲେଖାଏ ଚୌକା ଓ ଛକା ସାମିଲ ଥିଲା।
ତେବେ ୨୫ ବର୍ଷୀୟ ବ୍ୟାଟର ୩୧ ତମ ଇନିଂସରେ ୧ ହଜାର ରନ୍‌ ପୂରଣ କରିଛନ୍ତି। ତେନ୍ଦୁଲକରଙ୍କୁ ଏହି ମାଇଲଷ୍ଟୋନକୁ ସ୍ପର୍ଶ କରିବା ଲାଗି ସମାନ ସଂଖ୍ୟକ ଇନିଂସ ଲାଗିଥିଲା। ଏହି ତାଲିକାରେ ସୁରେଶ ରାଇନା (୩୪ ଇନିଂସ), ରିଷଭ ପନ୍ତ (୩୫ ଇନିଂସ), ଦେବଦତ୍ତ ପଡିକଲ (୩୫ ଇନିଂସ) ରହିଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ରାତିରେ ଖେଳାଯାଇଥିବା ହାଇସ୍କୋରିଂ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ସିଏସ୍‌କେ ୧୩ ରନ୍‌ରେ ହରାଇ ୩ୟ ବିଜୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଦୁଇ ଓପନର ଋତୁରାଜ ଗାଏକ୍ୱାଡ (୯୯) ଓ ଡେଭନ କନଓ୍ବେ (୮୫*)ଙ୍କ ଦମ୍‌ରେ ୨୦ ଓଭରରେ ୨ ଉଇକେଟ ହରାଇ ୨୦୨ ରନ୍‌ କରିଥିଲା। ଜବାବରେ ନିକୋଲାସ ପୁରନ(୬୪*)ଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟରେ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳ ପାଇଁ ମୁକେଶ ଚୌଧାରୀ ୪ ଉଇକେଟ ନେଇଥିଲେ।

Share